ଜଗାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫୦ ହଜାର ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଡିଆନ ଆଇଡଲ ଫେମ୍ ଜଗନ୍ନାଥ ଜେନା ଓରଫ୍ ଜଗାଙ୍କୁ ସହାୟତାର ହାତ ବଢ଼ାଇଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି। ଗତ ୭ ତାରିଖରେ ଏକ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଗାଙ୍କୁ ରିଲିଫ୍ ପାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ମିଳିଛି। ଯାହାକୁ ନେଇ ଜଗାଙ୍କ ପରିବାର ଖୁସିବ୍ୟକ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଇଣ୍ଡିଆନ ଆଇଡଲରେ ଭାଗ ନେଇ ଜଗା ନିଜ ମଜାଳିଆ ଅନ୍ଦାଜରେ ଲୋକଙ୍କୁ ହସିହସି ବେଦମ୍ କରାଇଥିଲେ। ବିଶେଷକରି ତାଙ୍କର ଡାଇଲଗ୍, ନିଆରା ନାଚ ଏବଂ କୌତୁକିଆ ଅନ୍ଦାଜ ପାଇଁ ଜଜ୍ ଦାୟିତ୍ୱରେ ଥିବା ସଙ୍ଗୀତକାର ଅନୁ ମଲ୍ଲିକ, ବିଶାଲ ଡାଡଲାନି ଓ ନେହା କକ୍କର ମଧ୍ୟ ଖୁବ୍ ମଜା ନେଇଥିଲେ। ଏହି ଗୋଟିଏ ଏପିସୋଡରେ ଭଦ୍ରକ ରାହାନ୍ଦିଆ ଗୋବିନ୍ଦପୁର ଗ୍ରାମର ଜଗା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଅବଶ୍ୟ ସେହି ଅଡିସନ ରାଉଣ୍ଡରୁ ହିଁ ଜଗା ଆଉ ଆଗକୁ ବଢ଼ିପାରି ନଥିଲା।

ତେବେ ଗତ ୭ ତାରିଖ ଚରମ୍ପା ନିକଟରେ ସେ ଏକ ସାଇକେଲ ଚଳାଇ ଯାଉଥିବା ବେଳେ ଏକ ହାଇୱା ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଜଗାକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ନିବେଦନ ହୋଇଥିଲା।