ଜାପାନ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ଉର୍ଜା ଓ ଇସ୍ପାତ କ୍ଷେତ୍ରକୁ ଗୁରୁତ୍ୱ

ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସୀ କାଜିୟାମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଯାଇଛି। ଏହି ଆଲୋଚନା କାଳରେ ଭାରତ ଓ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଉଭୟ ମନ୍ତ୍ରୀ ଉର୍ଜା ଓ ଇସ୍ପାତ୍ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନର ଅନେକ ଇସ୍ପାତ କମ୍ପାନୀ ଗୁଡ଼ିକ ଭାରତର ଇସ୍ପାତ କମ୍ପାନୀଗୁଡ଼ିକ ସହ ମିଶି କାମ କରୁଛନ୍ତି। ଯଦ୍ୱାରା ବିଗତ ଦିନରେ ଦୁଇ ଦେଶର ସମ୍ପର୍କ ଦ୍ୱାରା ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି। ଏହି ଅବସରରେ ଜାପାନର ମନ୍ତ୍ରୀ ଏଲ୍ଏନଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଜାପାନର କମ୍ପାନୀ ମାନେ ଭାରତର ତୈଳ, ଗ୍ୟାସ କ୍ଷେତ୍ରରେ ସହଯୋଗୀ ହେବାକୁ ଇଚ୍ଛୁକ ଥିବା ସେ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ଅଗ୍ରଗତି ତଥା ବ୍ୟବସାୟିକ କାରବାର ପାଇଁ ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ। ୨୦୧୯ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ଭାରତ ଗତ ୩ ବର୍ଷରେ ୬୭ତମ ର୍ୟାଙ୍କରୁ ୬୩ତମ ର୍ୟାଙ୍କରେ ପହଞ୍ଚିଛି। ପୁଞ୍ଜିନିବେଶ ତଥା ବ୍ୟବସାୟିକ କାରବାର ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ ଲମ୍ବା ସମୟ ଚୁକ୍ତି ଅନୁଯାୟୀ ଭାରତଠାରୁ ଲୁହା ପଥର ଆମଦାନି କରୁଥିବା ବେଳେ ଭାରତ ଜାପାନଠାରୁ ମୂଲ୍ୟବାନ ଇସ୍ପାତ ଆମଦାନି କରୁଛି। ୨୦୨୪ ସୁଦ୍ଧା ଭାରତ ଦେଶର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ୧୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ। ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନର ଲକ୍ଷ୍ୟ ହାସଲ କଲେ ଇସ୍ପାତ ଶିଳ୍ପ ବୃଦ୍ଧି ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଭିତ୍ତିଭୂମିର ବିକାଶ ପାଇଁ ଆମେରିକୀୟ ଡଲାରରେ ୧.୪ ଟ୍ରିଲିୟନ ପୁଞ୍ଜିନିବେଶ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହାସହ ଜାପାନର କାର୍ଯ୍ୟଶୈଳୀ, ନୂଆ ନୂଆ ଯନ୍ତ୍ରପାତି ତିଆରି କରିବାର ଉତ୍ସାହ ଏବଂ ଶିଳ୍ପ ଉଦ୍ୟୋଗକୁ ପ୍ରଶଂସା କରିବା ସହ ଏହି ଅବସରରେ ଶ୍ରୀ ପ୍ରଧାନ ଜାପାନର ଶକ୍ତି ଓ ଇସ୍ପାତ୍ କମ୍ପାନୀଗୁଡ଼ିକୁ ଭାରତରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିଥିଲେ।