ଦେଶରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୩ ହଜାର ୪୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି। ୨୬ ହଜାର ୪୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪କୁ ବୃଦ୍ଧି ହୋଇଛି। ଏଥିସହ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ରେ ପହଞ୍ଚିଛି। ସେହିପରି ମୋଟ ୧ ଲକ୍ଷ ୬୦ ହଜାର ୬୯୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ଏବଂ ୩ ଲକ୍ଷ ୯୫ ହଜାର ୧୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ବୁଧବାର ସୁଦ୍ଧା ୫ କୋଟି ୩୧ ଲକ୍ଷ ୪୫ ହଜାର ୭୦୯ ଜଣଙ୍କୁ ଟିକାକରଣ କରାଯାଇଛି।