୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ଜୟପୁର ସଦର ପୁଲିସ୍ ଏକ ଟ୍ରକ ଓ ଏକ ବଲେରୋ ଜିପରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଜଲାପୁଟ ଗ୍ରାମର ସୁଦର୍ଶନ ପାଣିଗ୍ରାହୀ(୨୮), ସୁରୁମି ଗ୍ରାମର ରଞ୍ଜନ ଗାଡ଼ାଙ୍ଗା(୨୩), ଗୋପୀନାଥ ନିରିକା(୨୩) ଓ ସେମିଲିଗୁଡ଼ାର ଚନ୍ଦ୍ରଶେଖର ଖରା(୩୦)। ପୁଲିସ୍ ଗଞ୍ଜେଇ ସହ ଟ୍ରକ୍, ବଲେରୋ ଜିପ୍, ୭ ଟି ମୋବାଇଲ୍ ଫୋନ୍, ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, ଡବ୍ଲ୍ୟୁବି-୦୨ଜି ୬୭୩୨ ନମ୍ବର ଥିବା ଏକ ଟ୍ରକ ଏବଂ ଓଡି-୩୩ ଡବ୍ଲ୍ୟୁ ୩୬୯୦ ନମ୍ବର ବଲେରୋ ଜିପରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଜୟପୁର ସଦର ଥାନା ପୁଲିସକୁ ସୂଚନା ମିଳିଥିଲା। ସୂଚନା ମୁତାବକ ଭାରପ୍ରାପ୍ତ ଥାନାଧିକାରୀ ଏ. ମହାକୁଡ଼, ସବଇନ୍ସପେକ୍ଟର ପନବୀନ କୁମାର ଟପ୍ପୋ, ଏଏସଆଇ ଏସ.କେ.ସାମଲ୍ ଓ ଅନ୍ୟମାନେ ମାଲକାନଗିରି-ଜୟପୁର ୩୨୬ ନଂ ଜାତୀୟ ରାଜପଥର ପାତ୍ରପୁଟ ବ୍ରୀଜ୍ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ୍ ଓ ବଲେରୋ ପହଞ୍ଚିବା ମାତ୍ରେ ଅଟକାଇ ଯାଞ୍ଚ କଲାବେଳକୁ ସେଥିରୁ ୯୩୭ କିଲୋ ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।