ନଦୀରେ ବୁଡ଼ିଗଲା ୫ ଟ୍ରକ୍

ଯାଜପୁର,ଏନ୍ଏନ୍ଏସ୍: ନଦୀରେ ଭାସିଲା ୫ଟି ଟ୍ରକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଲିଙ୍ଗେଶ୍ୱର ଘାଟରେ। ଏହି ଘାଟରେ ୫ଟି ହାଇୱା ଗାଡି ବୁଡିଯାଇଛି। ସୂଚନା ଅନୁସାରେ ଭୋର ସମୟରେ ଏହି ଗାଡିଗୁଡିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଠାତ୍ ଚେକପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡି ଗୁଡିକ ବୁଡି ଯାଇଥିଲେ। ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀ ମାନେ ଗାଡ଼ିରୁ ବାହାରି ଆସିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଅଞ୍ଚଳ ଯାଜପୁର ଓ ଭଦ୍ରକ ସୀମାନ୍ତ ହୋଇଥିବା ବେଳେ ଏହି ସ୍ଥାନଟି ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଗାଡି ଗୁଡ଼ିକ କାହା ଅନୁମତି ନେଇ ଏଠାରୁ ବାଲି ଉଠାଉଥିଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପାଣିକୋଇଲି ଥାନା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ପଚାରିବାର ସେ ଏ ସମ୍ପର୍କରେ କିଛି ଜାଣିନଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଡି ଗୁଡ଼ିକ ପାଣି ମଧ୍ୟରେ ଫସି ରହିଛି।