ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ସେଲ୍ ଶକରପୁର ଅଞ୍ଚଳରେ ଏନକାଉଣ୍ଟର ପରେ ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ୨ଜଣ ପଞ୍ଜାବର ଓ ୩ଜଣ କଶ୍ମୀରର ହୋଇଥିବା ଜଣାପଡ଼ିଛି। ପଞ୍ଜାବର ୨ ଆତଙ୍କବାଦୀଙ୍କ ଖାଲିସ୍ଥାନ ଲିଙ୍କକୁ ନେଇ ଯାଞ୍ଚ ଜାରି ରହିଛି। ଅନ୍ୟପଟେ କଶ୍ମୀରର ୩ ଆତଙ୍କବାଦୀଙ୍କର ଡ୍ରଗ୍ସ ଲିଙ୍କ ଥିବା ସ୍ପଷ୍ଟ ହୋଇଯାଇଛି। ଆତଙ୍କବାଦୀଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର, ପିସ୍ତଲ ସହ ଡ୍ରଗ୍ସ ଜବତ କରାଯାଇଛି।

ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରେ ଆତଙ୍କବାଦୀମାନେ ପ୍ରଥମ ଦିଲ୍ଲୀ ପୁଲିିସର ସ୍ପେଶାଲ ସେଲ୍ ଉପରେ ଗୁଳି ଚାଳନା କରିଥିଲେ। ଏହାର ଜବାବ ଦେବାକୁ ଯାଇ ଦିଲ୍ଲୀ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ସଂଘର୍ଷ ମଧ୍ୟରେ ୧୩ ରାଉଣ୍ଡ ଫାୟରିଂ ହୋଇଥିଲା। ପରେ ଆତଙ୍କବାଦୀଙ୍କୁ କାବୁ କରିବାକୁ ଯାଇ ଦିଲ୍ଲୀ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ସୂଚନାଯୋଗ୍ୟ, ଗିରଫ ହୋଇଥିବା ଆତଙ୍କବାଦୀ ହେଉଛନ୍ତି ଶବୀର ଅହମ୍ମଦ, ଅୟୁବ ପଠାନ, ରିୟାଜ ରାଥର, ଗୁରଜୀତ ସିଂହ ଓ ସୁରଦୀପ ସିଂହ। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କ ଉପରେ ପଞ୍ଜାବର ସୌର୍ଯ୍ୟ ଚକ୍ର ଆୱାର୍ଡ ବିଜେତା ବଲବିନ୍ଦର ସିଂହ ସିନ୍ଧୁଙ୍କ ହତ୍ୟାର ଆରୋପ ରହିଥିବା ଜଣାପଡ଼ିଛି।