ବାରଣାସୀକୁ ଦାଦନ ଖଟିବାକୁ ଯାଇଥିବା ୫ ଶ୍ରମିକଙ୍କୁ ବନ୍ଧୁକ ମୁନରେ ନିର୍ଯାତନା ଦିଆଯାଉଛି

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାରୁ ୫ଜଣ ଶ୍ରମିକ ଦାଦନ ଖଟିବାକୁ ବାରାଣସୀ ଯାଇଥିବା ବେଳେ ତାଙ୍କୁ ବନ୍ଧୁକମୁନରେ ଅଟକ ରଖାଯିବା ସହ ଶାରୀରିକ ଓ ମାନସିକ ନିର୍ୟାତନା ଦିଆଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଜଣେ ଶ୍ରମିକଙ୍କୁ ପିଟି ପିଟି ମାରିଦେଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପରିବାରବର୍ଗ। ସେଠାରୁ ଲୁଚି ପଳାଇଆସିଥିବା ଦୁଇଜଣ ଶ୍ରମିକ ଏହି ଘଟଣା ସମ୍ପର୍କରେ କହି ନ୍ୟାୟ ଭିକ୍ଷା କରିଛନ୍ତି।

ଗତ ଅକ୍ଟୋବର ଶେଷ ସପ୍ତାହରେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜକୁ ରାଉରକେଲାର ମୂଳ ନିବାସୀ ପରିଚୟ ଦେଇ ଗୋପବନ୍ଧୁପାଲିରେ ପହଞ୍ଚିଥିଲା। ସେଠାରେ ପ୍ରାୟ ୧୦/୧୨ ଜଣ ଦିନ ମଜୁରିଆଙ୍କୁ ଭେଟି ବାରାଣସୀରେ ଏକ ପ୍ରତିଷ୍ଠିତ କମ୍ପାନିରେ ଭଲ ଦରମାରେ କାମ ଦେବାକୁ କହିଥିଲେ। ଅଧିକ ରୋଜଗାର ଆଶାରେ ଦଲାଲର ମିଛ ପ୍ରତିଶ୍ରୁତିରେ ଗୋପବନ୍ଧୁପାଲି, ଲାଲ ବିଲ୍ଡିଂ, ଗାନ୍ଧୀ ରୋଡ୍ ଅଞ୍ଚଳର ୭ ଜଣ ଶ୍ରମିକ ଫସିଯାଇଥିଲେ ଆଉ ଗତବର୍ଷ ନଭେମ୍ବର ପହିଲାରେ ବାରାଣସୀ ଅଭିମୁଖେ ବାହାରିଥିଲେ। ରାଉରକେଲା ଷ୍ଟେସନରୁ ଉକ୍ତ ଦଲାଲ ମଧ୍ୟ ଶ୍ରମିକମାନଙ୍କ ସହ ଯାଇଥିଲା।

ସେଠାରେ ପହଞ୍ଚିବା ପରେ ଦଲାଲ ସମସ୍ତ ୭ ଜଣ ଶ୍ରମିକଙ୍କୁ ଏକ ଇଟାଭାଟିରେ କାମ କରିବାକୁ କହିଥିଲା। ମାତ୍ର ଶ୍ରମିକମାନେ ମନା କରିବାରୁ ଦଲାଲ ଓ ସଂପୃକ୍ତ ଇଟାଭାଟି ମାଲିକ କିଛି ନ ଶୁଣି ଜୋରଜବରଦସ୍ତ ଇଟାଭାଟିରେ ସେମାନଙ୍କୁ କାମ କରିବାଲାଗି ବାଧ୍ୟ କରିଥିଲେ। ପ୍ରଥମ ଦିନରୁ ହିଁ ସେମାନଙ୍କ ଉପରେ ନିର୍ୟାତନା ଆରମ୍ଭ ହୋଇଥିଲା। ସାମାନ୍ୟ ଭୁଲ୍ ହେଲେ ମାରପିଟ କରିବା ସହ ଠିକଭାବେ ଖାଇବାକୁ ମଧ୍ୟ ଦିଆ ଯାଉ ନଥିଲା। ଏଣୁ ପ୍ରାୟ ୧୫/୨୦ ଦିନ ପରେ ଜଣେ ଯୁବତୀ ସେଠାରୁ ଲୁଚି ରାଉରକେଲାକୁ ପଳାଇ ଆସିଥିଲେ।