୩ ମାସରେ ୫୦୦ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବ ଡିଆରଡିଓ: ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର। ପିଏମ କେୟାର୍ସ ଫଣ୍ଡ ସହାୟତାରେ ଏହି ଅମ୍ଳଜାନ କାରଖାନା ସ୍ଥାପନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି। ସେ କହିଛନ୍ତି, ହାଲୁକା ଯୁଦ୍ଧ ବିମାନ ତେଜସରେ ଅମ୍ଳଜାନ ଉତ୍ପାଦନ ପାଇଁ ଡିଆରଡିଓ ବିକଶିତ କରିଥିବା ଜ୍ଞାନ କୌଶଳକୁ ବ୍ୟବହାର କରାଯାଇ ଏହି କେନ୍ଦ୍ରଗୁଡିକ ସ୍ଥାପନ କରାଯିବ।

ବଢୁଥିବା କରୋନା ଭାଇରସ୍ ସହ ସାରା ଭାରତ ଏବେ ମୁକାବିଲା କରୁଛି ଏବଂ ଅନେକ ରାଜ୍ୟରେ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଏବଂ ଶଯ୍ୟା ଅଭାବ ଦେଇ ଗତି କରୁଛି। ଏନେଇ ଡିଆରଡିଓ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି ଯେ, ବେଙ୍ଗାଲୁରୁର ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ଏବଂ କୋଏମ୍ବାଟୁର ଭିତ୍ତିକ ଟ୍ରାଇଡେଣ୍ଟ ନ୍ୟୁମେଟିକ୍ସକୁ ଏମଓପି ଟେକ୍ନୋଲୋଜି ହସ୍ତାନ୍ତର କରାଯାଇଛି ଏବଂ ଏହି ଦୁଇଟି କମ୍ପାନୀ ୩୮୦ ଟି ପ୍ଲାଣ୍ଟ ସ୍ଥାପନ କରିବେ।

ଏହାସହିତ, ଡେରାଡୁନ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ସହିତ କାର୍ଯ୍ୟ କରୁଥିବା ଶିଳ୍ପଗୁଡିକ ଦ୍ୱାରା ପ୍ରତି ମିନିଟରେ ୫୦୦ ଲିଟର କ୍ଷମତା ବିଶିଷ୍ଟ ୧୨୦ ପ୍ଲାଣ୍ଟ ସ୍ଥାପନ କରାଯିବ। ଡିଆରଡିଓର ମେଡିକାଲ ଅମ୍ଳଜାନ କେନ୍ଦ୍ର ପ୍ରତି ମିନିଟରେ ୧୦୦୦ ଲିଟର ଅମ୍ଳଜାନ ଉତ୍ପାଦନ ପାଇଁ ଡିଜାଇନ୍ କରାଯାଇଛି। ତେବେ ଡିଆରଡିଓ ନିଜର ବିକଶିତ ଜ୍ଞାନ କୌଶଳ ବ୍ୟବହାର କରି କୋଭିଡ ରୋଗୀଙ୍କ ଅମ୍ଳଜାନ ଆବଶ୍ୟକତା ପୂରଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।