ଏଡିବି ଏସ‌ବିଆଇ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବଲାଙ୍ଗିର,ଏନ୍ଏନ୍ଏସ୍: ସ୍ଥାନୀୟ କଲେଜ ଛକସ୍ଥିତ ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମ୍ନାରୁ ଅପରାହ୍ନ ଗୋଟାଏ ସମୟରେ ୨ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ସ୍ଥାନୀୟ ଟିକ୍ରାପଡ଼ାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ କାମ କରନ୍ତି । ବିଭିନ୍ନ ପାର୍ଟିଙ୍କୁ ଟଙ୍କା ଦେବା ଉଦ୍ଦ୍ୟେଶରେ ଆଜି ସଂସ୍ଥାରୁ ୩ଲକ୍ଷ ଟଙ୍କା ନେଇ ଏଡିବି ବ୍ୟାଙ୍କକୁ ଯାଇଥିଲେ । ଏଡିବି ବ୍ୟାଙ୍କରୁ ଆହୁରି ୨ଲକ୍ଷ ଟଙ୍କା ଉଠାଇଥିଲେ । ଅର୍ଥାତ୍ ସମୁଦାୟ ୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ବାହାରକୁ ଆସୁଥିବାବେଳେ ହଠାତ ୨ଜଣ ଦୁର୍ବୁତ୍ତ ଲାଲି ଓ କଳା ରଙ୍ଗର ପଲସର ବାଇକରେ ଆସି ସଞ୍ଜୟ ହାତରୁ ବ୍ୟାଗଟି ଲୁଟି ନେଇ ଫେରାର ହୋଇଯାଇଥିଲେ । ସଞ୍ଜୟ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ସଞ୍ଜୟକୁ ସାଥୀରେ ନେଇ ଦୁର୍ବୁତ୍ତମାନେ ଯାଇଥିବା ରାସ୍ତାରେ ଯାଇ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ସିସିଟିଭି ଯାଞ୍ଚ କରି ଦୁର୍ବୁତ୍ତଙ୍କ ହୁଲିଆ ଓ ବାଇକ ନମ୍ବର ପାଇ ତନାଘନା ଜାରି ରଖିଛନ୍ତି।