୫ ଆନ୍ତଃରାଜ୍ୟ ଲୁଟେରା ଗିରଫ: ୧୧ଟି ମୋବାଇଲ, ୨ଟି ମୋଟରସାଇକେଲ ଓ ଟଙ୍କା ଜବତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ମୁରିବାହାଲ ଓ ସଇଁନ୍ତଲା ଅଞ୍ଚଳରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୫ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଏଥିସହ ସେମାନେ ଲୁଟରେ ବ୍ୟବହାର କରୁଥିବା ବିଭିନ୍ନ ସରଞ୍ଜାମ, ୨ଟି ମୋଟରସାଇକେଲ , ୧୧ଟି ମୋବାଇଲ ଓ ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଏମ ସନ୍ଦୀପ ସମ୍ପତ୍ତ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଛାଟପଡିଆ ଗାଁର ଏମ.ସାଲୁ ରେଡି ଓରଫ ଦାସ ବାବୁଲା(୩୬), କାରାଟୋଲି ଗ୍ରାମର ଏ ଶିବା(୨୫), ଗଣ୍ଡପାଲି ଗାଁର ଏ ସନ୍ତୋଷ(୧୯), କଳାଷଣ୍ଡପୁର ଗାଁର ଡି ଗାନ୍ଧୀ ଓ କଳାଷଣ୍ଡପୁର ଗାଁର ଦାସ ଗଙ୍ଗା(୪୫)।
ସୂଚନା ଅନୁସାରେ ଦୀର୍ଘ ୧୫ଦିନ ହେଲା ସେମାନେ ବଲାଙ୍ଗିର ସହରର ରାଜୀବ ନଗର ଅଞ୍ଚଳରେ ଏକ ଭଡ଼ା ଘରନେଇ ଅପରାଧିକ କାର୍ଯ୍ୟକଳାପ ଚଳାଉଥିଲେ। ତେବେ ଏ ନେଇ ଘର ମାଲିକ ପଙ୍କଜ ମିଶ୍ରଙ୍କ ନାରେ ମଧ୍ୟ ପୁଲିସ ୧୨୦(ବି) ଦଫାରେ ଏକ ମାମଲା ରୁଜୁ କରିଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ତଥା ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରାଯାଇଛି ପୁଲିସ ସୂଚନା ଦେଇଛି।