ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ନଂ. ଜାତୀୟ ରାଜପଥ ନିକଟସ୍ଥ ନୂଆସାହି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ୫ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଞ୍ଚଳବାସୀ ସକାଳୁ ଉକ୍ତ ଦୃଶ୍ୟ ଦେଖିବା ପରେ ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନା ପୁଲିସ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଖବର ପାଇ ଥାନାଧିକାରୀ ବାବା ଶଙ୍କର ସରାଫ ଏନଏଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ମୃତ ମଇଁଷିଙ୍କୁ ତୁରନ୍ତ ରାସ୍ତାରୁ ଉଠାଇ ନେଇଥିବା ଜଣାପଡ଼ିଛି । ବାଲିଗୁଡ଼ା ସହରରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସହର ମଧ୍ୟଦେଇ ଯାଇଥିବା ୫୯ନଂ.ଜାତୀୟ ରାଜପଥରେ ସହସ୍ରାଧିକ ଭାରି ଯାନବାହାନ ଚଳାଚଳ କରୁଛି । ଏଭଳି ସ୍ଥିତିରେ ରାଜରାସ୍ତାରେ ଗାଈଗୋରୁ, ଛେଳି ଓ ମେଣ୍ଡା ଆଦି ଗୃହପାଳିତ ପଶୁମାନେ କବଜା କରି ରଖିବା କାରଣରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏଣୁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବେ ଜରୁରୀ ହୋଇପଡ଼ିଛି ।