ଆରଏସପି ନ୍ୟୁପ୍ଲେଟ ମିଲରେ ଟ୍ରେଲର ପଶିବା ଘଟଣାରେ ୫ ଗିରଫ

ରାଉରକେଲା,ଏନ୍ଏନ୍ଏସ୍: ଗତ ଡିସେମ୍ବର ମାସରେ ରାଉରକେଲା ଇସ୍ପାତ କାରଖାନା ନ୍ୟୁ ପ୍ଲେଟ ମିଲରେ ବେଆଇନ ଭାବେ ୨ଟି ଟ୍ରେଲର ପଶିବା ଘଟଣାରେ ବୁଧବାର ୨ ଜଣ ସିଆଇଏସଏଫ୍ କର୍ମୀ, ୨ ଜଣ ଆରଏସପି କର୍ମୀ (କ୍ରେନ ଅପରେଟର) ଓ ସ୍କ୍ରାପ ଡିଲର ମୋଟ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଜୋନ-୨ ଡିଏସପି ପି.କେ. ମିଶ୍ର ବୁଧବାର ବିଶ୍ରାଛକରେ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡିଏସପି ଶ୍ରୀ ମିଶ୍ରଙ୍କ ଅନୁଯାୟୀ, ଡିସେମ୍ବର ୨୫ରେ ଗୋଟିଏ ୧୪ ଚକିଆ ଟ୍ରକ ନମ୍ବର ଓ ଗୋଟିଏ ଟ୍ରେଲର ନମ୍ବରରେ ଆରଏସପିର ଏକ ମ୍ୟାଗନେଟ କ୍ରେନରେ ପ୍ଲେଟ୍ ଲୋଡ୍ କରାଯାଉଥିଲା। ଆରଏସପି ନ୍ୟୁ ପ୍ଲେଟ ମିଲ ୱେ ବ୍ରିଜ ନିକଟରେ ଏହା ସମ୍ପର୍କରେ ଜଣାପଡ଼ିବା ପରେ ସେଠାରେ ଉକ୍ତ ଭାରୀଯାନର ୨ ଜଣ ଚାଳକ ସେଠାରୁ ଗାଡ଼ିଦ୍ୱୟ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ଜାନୁଆରୀ ୨ ତାରିଖରେ ସିଆଇଏସଏଫ କ୍ରାଇମ ଇନ୍ସପେକ୍ଟର ବଲୱନ୍ତ କୁମାର ଟାଙ୍ଗରପଲ୍ଲୀ ଥାନାରେ ଏତଲା ଦେଇଥିଲେ।

ଏହାକୁ ଆଧାର କରି ତଦନ୍ତ ବେଳେ ଉକ୍ତ ଘଟଣାରେ ଆର୍ଏସ୍ପିର ୨ ଜଣ କ୍ରେନ ଅପରେଟର, ଜଣେ ସିଆଇଏସଏଫ୍ କନଷ୍ଟେବଲ ଓ ଏଏସଆଇଙ୍କୁ ପଚରାଉଚରା କରାଯାଇଥିଲା। ସେମାନେ ଏହି ମାଲ ଚୋରା ଚାଲାଣ ପାଇଁ ବେଦବ୍ୟାସ ଅଞ୍ଚଳର ଜଣେ ବଡ଼ ସ୍କ୍ରାପ ବ୍ୟବସାୟୀ(ମହାବୀର କନଷ୍ଟ୍ରକ୍ସନ)ଙ୍କୁ ଏଥିରେ ସାମିଲ କରିଥିଲେ। ଏହି ମାଲ ବିକ୍ରୟ ପାଇଁ ୩ ଲକ୍ଷ ଟଙ୍କାର ମୂଲଚାଲ ହୋଇଥିଲା। ଟ୍ରକ୍ ଓ ଟ୍ରେଲର ବାହାର କରିବା ପାଇଁ ମହାବୀର କନଷ୍ଟ୍ରକ୍ସନ ନାମରେ ପଞ୍ଜୀକରଣ କରି ପରମିଟ୍ ତିଆରି କରାଯାଇଥିଲା। ମାତ୍ର ତାହାକୁ ଗେଟରେ ପଞ୍ଜୀକରଣ କରାଯାଇ ନଥିଲା। ଏ ସମ୍ପର୍କରେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ। ଏଥିରେ ର୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଇ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।