୫୨୯୦ କଫ୍ ସିରଫ ଜବତ, ୫ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,ଏନଏନଏସ: ବଲାଙ୍ଗୀର ପୁଲିସ ଆଜି ପୁଣି ଥରେ ବିପୁଳ ପରିମାଣର କଫ୍ ସିରଫ ଜବତ କରିଛି । ବେଆଇନ ଭାବେ କଫ ସିରଫ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି । ଦୁଇଟି ଟ୍ରକରେ ଚୋରା ଚାଲାଣ ହେଉଥିବା ବେଳେ ୫୨୯୦ ବୋତଲ କଫ ସିରଫ ଜବତ କରାଯାଇଛି ବୋଲି ସ୍ଥାନୀୟ ସଦର ଥାନାରେ ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ଏସପି ସନ୍ଦୀପ ମଡକର ସୂଚନା ଦେଇଛନ୍ତି ।

ଏହି କଫ ସିରଫ ଚାଲାଣ ଅଭିଯୋଗରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗାଁର ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ (୪୧) ,ବରଗଡ ଜିଲ୍ଲା ଗାଏସିଲେଟ ଥାନା ଅନ୍ତର୍ଗତ ତାଲପାଲିର ଲଳିତ କୁମାର ବାଜପେୟୀ (୩୨) , ନୂଆଁପଡା ଜିଲ୍ଲା କୋମନାର ବିକାଶ ଦୁରିଆ (୩୬) , କୋମନା ଥାନା ଅଗ୍ରେନ ଗାଁର ମକୁନ୍ଦ ଚରଣ ନାଗ (୩୫) ଓ ପାଟଣାଗଡ ଥାନା ରାମପାଲିର କୀର୍ତ୍ତିଚନ୍ଦ୍ର ଷାଣ୍ଡଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ କଫ ସିରଫ ସହିତ ପୁଲିସ ୭୦ ହଜାର ୮୫୦ ଟଙ୍କା , ଦୁଇଟି ଟ୍ରକ ଓ ୭ ଟି ମୋବାଇଲ ଜବତ କରାଯାଇଛି । ଏସପିଙ୍କ ସୂଚନା ଅନୁଯାୟୀ , କଫ ସିରଫ ତଥା ଅନ୍ୟାନ୍ୟ ନିଶା ସାମଗ୍ରୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ମିଶନ କ୍ଲିନ ନାମକ ଏକ ଅଭିଯାନ ଆରମ୍ଭ କରିଛି ।

ଏହି ଅଭିଯାନ କ୍ରମରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ସଦର ଆଇଆଇସି ତୋଫାନ ବାଗ , ଏସଆଇ ଜେ.ଭୋଇ , ଜି.ଖାଖା ଓ ଏଏସଆଇ ଆର.କୁମ୍ଭାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର -ପାଟଣାଗଡ ରାସ୍ତାର ପଥରଚେପା ଠାରେ ଆଜି ସକାଳେ ଛକି ବସିଥିଲେ । ସେହି ସମୟରେ କଟକରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ଟ୍ରକରେ ବୋଝେଇ ହୋଇ କଫ ସିରଫ ଗାଡି ଆସି ପହଂଚିଥିଲା । ଗୋଟାଏ ଟ୍ରକରେ ଡ୍ରାଇଭର କୀର୍ତ୍ତିଚନ୍ଦ୍ର ଓ ମକୁନ୍ଦ ଥିବା ବେଳେ ଆଉ ଏକ ଗାଡିରେ ଲଳିତ , ବିକାଶ ଓ ଲକ୍ଷ୍ମୀକାନ୍ତ ଥିଲେ ।

ଲକ୍ଷ୍ମୀକାନ୍ତଙ୍କ ନେତୃତ୍ୱରେ ଏମାନେ କଟକରୁ କଫ ସିରଫ ଆଣୁଥିବା ସ୍ୱୀକାର କରିଥିଲେ । ଏମାନଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ବଲାଙ୍ଗୀରରେ କଫ ସିରଫ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ବେଳେ ବରଗଡରେ ଲଳିତ ଓ ନୂଆଁପଡାରେ ମୁକୁନ୍ଦ ଏବଂ ଚରଣ ନିୟନ୍ତ୍ରଣ କରୁଥିଲେ ବୋଲି ପୁଲିସ କହିଛି । ଏମାନଙ୍କୁ ସମସ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଶ୍ରୀମନ୍ତ ବାରିକ ଓ ସଦର ଆଇଆଇସି ତୁଫାନ ବାରିକ ଉପସ୍ଥିତ ଥିଲେ ।