କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଓରକେଲ ପୁଲିସର ମିଳିତ ଉଦ୍ୟମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ମଦ ଦୋକାନରେ ଚଢ଼ଉ ହୋଇଛି। ଏହି ଚଢ଼ଉରେ ୨୫ ଶହ କିଲୋର ମହୁଲପୋଚ ଏବଂ ୧୫ ଶହ ଲିଟର ମହୁଲ ମଦ ଜବତ ହେବା ସହିତ ୫ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ ଓରକେଲ ଥାନା ଅନ୍ତର୍ଗତ ସୋରଲୁକୋଣ୍ଡା, ଉରମାଗୁଡା, ବାଲିମେଳା ଏବଂ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୩, ରାୟପୁର ଆଦି ଅଞ୍ଚଳରେ ଚଢ଼ଉ ହୋଇଥିଲା।
ଏହି ସମୟରେ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ଉରମାଗୁଡା ଗ୍ରାମର ମୁକେ ମାଡକାମୀ, ଗଙ୍ଗା ମାଡକାମୀ, ସୋରଲୁକୋଣ୍ଡାର ଦୁଲା କବାସୀ ଓ ଡାଇକ-୩ ସ୍ଥିତ ରାୟପୁର ଅଞ୍ଚଳର ଲକ୍ଷ୍ମଣ ଗୋଲୋରୀ ଓ ଘାସିରାମ ପାଙ୍ଗି ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗର ପକ୍ଷରୁ ଚଢ଼ଉ ଜାରି ରହିବ ବୋଲି ଅବକାରୀ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି। କୋଭିଡ ସମୟରେ ଦୋଷୀଙ୍କୁ ଗିରଫ କରାନଯାଇ କେବଳ ନୋଟିସ କରାଯାଉଥିବା ହେତୁ ଦେଶୀ ମଦ ବିକ୍ରି କରୁଥିବା ବେପାରୀମାନେ ଖୁଲମଖୁଲା ଏପରି ସାହସ କରୁଥିବା ଅବକାରୀ ବିଭାଗ ସୂଚନା ଦେଇଛି।