ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ଡେମୋକ୍ରେଟିକ୍ ପାର୍ଟିର ଆଶାୟୀ ଜୋ ବାଇଡେନ ଦୌଡ଼ରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଫଳାଫଳ ଆସିନଥିଲେ ମଧ୍ୟ ବାଇଡେନ କାମ ଆରମ୍ଭ କରି ଦେଇଛନ୍ତି। କରୋନା କବଳରୁ ମୁକ୍ତି ପାଇବା ବ୍ୟତୀତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛନ୍ତି।
ଜୋ ବାଇଡେନ କହିଛନ୍ତି ଯେ, ‘ଆମେ ପ୍ରଥମରୁ ହିଁ କାମ ଆରମ୍ଭ କରିଦେଇଛୁ। ଆମେ ସାର୍ବଜନୀକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛୁ। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆମେ ପ୍ରଥମ ଦିନରୁ ହିଁ ଏଥିରୁ ମୁକ୍ତି ପାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେବୁ। ଆମେ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଯଥାସମ୍ଭବ ଚେଷ୍ଟା କରିବୁ। ଏଥିସହିତ ଆମେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମଧ୍ୟ ଚେଷ୍ଟା ଚଲାଇଛୁ।
ନିର୍ବାଚନରେ ବିଜୟର ଖୁବ୍ ନିକଟତର ଥିବା ବାଇଡେନ ଟ୍ୱିଟ୍ କରି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନ ନେଇ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଆମେ ବିରୋଧୀ ହୋଇପାରୁ କିନ୍ତୁ ଶତ୍ରୁ ନୁହେଁ। ଆମକୁ ମନେ ରଖିବାକୁ ପଡ଼ିବ କି ଆମ ରାଜନୀତିର ଉଦ୍ଦେଶ୍ୟ ନିର୍ଦ୍ଦୟ ଯୁଦ୍ଧ ନୁହେଁ।’