୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଦୁବେ ୪ଟି ନିଷ୍ପଦନ ମାମଲାର ଫଇସଲା କରି ୮ଲକ୍ଷ ୯୦ହଜାର ୪୧୦ ଟଙ୍କା ଋଣ ଆଦାୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜଜ୍ ଡା. ମୁନରାନୀ ମିଶ୍ର ୧୦ଟି ପାରିବାରିକ ବିବାଦ ମାମଲା ସମାଧାନ କରିଛନ୍ତି, ସେଥିମଧ୍ୟରୁ ୪ଟି ଆପୋଷ ବୁଝାମଣା କରାଇଛନ୍ତି । ବରିଷ୍ଠ ଦେବାନୀ ଜଜ୍ ରାଜୀବ ଲୋଚନ ସାହୁ ୮ଟି ବ୍ୟାଙ୍କ ଋଣ ଦେୟ ସମ୍ବନ୍ଧୀୟ ମାମଲାର ଫଇସଲା କରି ୭ଲକ୍ଷ ୧୪ହଜାର ୨୫୯ ଟଙ୍କା ଋଣ ଆଦାୟ କରିଛନ୍ତି । ସେହିପରି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ୫୯ଟି ଫୌଜଦାରୀ ମାମଲାର ଫଇସଲା କରିଛନ୍ତି । ଏଥିରେ ସର୍ବମୋଟ ୧୪୧ଟି କୋର୍ଟ ଓ ୫,୯୯୬ଟି ରାଜସ୍ୱ ମାମଲାର ଫଇସଲା କରାଯାଇ ୬ଲକ୍ଷ ୪୧ହଜାର ୫୦୬ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ବ୍ୟାଙ୍କର ୨୧ଟି ପ୍ରାକ ମୋକଦ୍ଦମା ମଧ୍ୟ ଫଇସଲା କରାଯାଇ ୩ଲକ୍ଷ ୭୯ହଜାର ୩୫୪ ଟଙ୍କା ଋଣ ଆଦାୟ କରାଯାଇଛି ଓ ଭାରତ ସଂଚାର ନିଗମ ଲିମିଟେଡର ୩ଟି ପ୍ରାକ ମାମଲାର ଫଇସଲା କରାଯାଇ ୨୭ ହଜାର ୮୯ ଟଙ୍କା ଋଣ ଆଦାୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିରୂପେ ଅତିରିକ୍ତ ଜିଲ୍ଲା ଜଜ୍‌(ପୋକସୋ) ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିନୋଦ ବିହାରୀ ସାହୁ ଓ ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।