୪୯୫ କିଲୋ ଗଞ୍ଜେଇ ଜବତ, ୬ ଗିରଫ

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ଦୁଇଟି ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏସଆଇ କୃଷ୍ଣା କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସଦାଶିବପୁର ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଗୋଟିଏ ବାଇକରୁ ଦୁଇଟି ବସ୍ତାରେ ଥିବା ୪୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ହେଲେ ରାମଚନ୍ଦ୍ର ଖିଲ(୩୦), ସୋନା ଖିଲ(୪୦)। ସେମାନେ ତାରଲାକୋଟା ପଞ୍ଚାୟତର ସାହେବଗୁଡା ଗ୍ରାମର ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୯୦.୦୦୦ ହେବ ବୋଲି ପୁଲିସ ସୂଚନା ଦେଇଛି।

ସେହିପରି ଓରକେଲ ପୁଲିସର ଅନ୍ୟଏକ ଟିମ୍ ଏସଆଇ ମିଲନ ମଜୁମଦାର ଙ୍କ ନେତୃତ୍ୱରେ ହାତୀଆମ୍ବ ଛକ ନିକଟରେ ଏକ ଟ୍ରକରୁ ୪୫୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୯ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଗୁରୁପ୍ରୀତ ସିଂ, ସୁରେନ୍ଦ୍ର ଗଦବା, ନିଲକମଲ ବିଶ୍ୱାସ ଏବଂ କମଲଜିତ ସିଂ। ଏମାନେ ଗଞ୍ଜେଇ ନେଇ ଛତିଶଗଡ଼ ରାଜ୍ୟର ରାୟପୁରକୁ ଯାଉଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି। ତେବେ ଉପରୋକ୍ତ ସମସ୍ତ ୬ ଜଣକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।