ଆଜି ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସ୍ତରରେ ହେବ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଗତ ସୋମବାର ଗଲୱାନ ଉପତ୍ୟକାରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗୁରୁବାର ୩ଟି ବିବାଦୀୟ ସ୍ଥଳ(ପାଟ୍ରୋଲିଂ ପଏଣ୍ଟ-୧୪, ପାଟ୍ରୋଲିଂ ପଏଣ୍ଟ-୧୫ ଓ ପାଟ୍ରୋଲିଂ ପଏଣ୍ଟ-୧୭)ରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ହଟସ୍ପ୍ରିଙ୍ଗ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ-୧୭ରେ ଚୀନ୍ ସେନା ପ୍ରାୟ ୨ କିଲୋମିଟର ପଛକୁ ହଟିଯାଇଛି। ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ସଂଖ୍ୟା ହ୍ରାସ ପାଇବା ଦେଖାଯାଇଛି। ଏନେଇ ଆଜି ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଅନୁଷ୍ଠିତ ହେବ।

ସୂଚନା ଅନୁସାରେ ପାଟ୍ରୋଲିଂ ପଏଣ୍ଟ-୧୫ରେ ପିଏଲଏ ଗତ ବୁଧବାର ୨ କିଲୋମିଟର ପଛକୁ ହଟିଥିଲା। ଇତି ମଧ୍ୟରେ ଦୁଇ ଦେଶର ସେନା ୪ କିଲୋମିଟର ପର୍ଯ୍ୟନ୍ତ ନୋ-ମ୍ୟାନ ଜୋନ୍ ସୃଷ୍ଟି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲଦାଖ ସୀମାରେ ବିବାଦ ଗୁରୁତର ରୂପ ନେଇଥିଲା ବେଳେ ଗତ ରବିବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା ତଥା ସ୍ୱତନ୍ତ୍ର ପ୍ରତିନିଧି ଅଜିତ ଡୋଭାଲ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ତଥା ଷ୍ଟେଟ୍ କାଉନସିଲର ୱାଙ୍ଗ ୟି ଙ୍କ ମଧ୍ୟରେ ଟେଲିଫୋନରେ ଆଲୋଚନା ବେଳେ ଦୁଇ ଦେଶର ସେନା ସୀମାରୁ ପଛକୁ ହଟିବାକୁ ସହମତି ଦେଇଥିଲେ।