ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ନିହତ

କାନପୁର,ଏଜେନ୍ସି: ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ବିକାଶକୁ ଉଜ୍ଜୈନରୁ ଗିରଫ କରାଯାଇଥିବା ବେଳେ ରାତିରେ ୟୁପି ପୁଲିସ ଓ ଏସଟିଏଫ୍ ଟିମ ଦ୍ୱାରା ତାକୁ କାନପୁରକୁ ଅଣାଯାଉଥିଲା। ଏହି ସମୟରେ ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି କାରରେ ଗିରଫ ହୋଇଥିବା ବିକାଶ ଦୁବେ ଥିବା କୁହାଯାଉଛି। ଏହି ଦୁର୍ଘଟଣାରେ କାର୍‌ଟି ଓଲଟି ଯାଇଥିଲା। ଦୁର୍ଘଟଣା ପରେ ବିକାଶ ପୁଲିସର ବନ୍ଧୁକ ଛଡାଇ ସେଠାରୁ ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା। ଏଥିରେ ପୁଲିସ ଓ ବିକାଶଙ୍କ ମଧ୍ୟରେ ଭିଡାଭିଡି ହୋଇଥିଲା। ପରେ ପୁଲିସ ଗୁଳିରେ ବିକାଶର ନିହତ ହୋଇଥିବା ଜଣାପଡ଼ିଛି।

ତେବେ ଶୁକ୍ରବାର କାନପୁରରେ ପୁଲିସ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ତା’ର ଗ୍ୟାଙ୍ଗ ସହ ପୁଲିସର ଗୁଳିବିନିମୟ ହୋଇଥିଲା। ଏଥିରେ ୮ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏହା ପରଠାରୁ ପୁଲିସ ଖୋଜାଖୋଜି ଜୋରଦାର କରିଥିଲା। ଗତକାଲି ବିକାଶକୁ ଉଜ୍ଜୈନରୁ ଗିରଫ କରାଯାଇଥିଲା।