ଜୋରସୋରରେ ଚାଲିଛି ମୁନିଗୁଡ଼ାରେ ରଥନିର୍ମାଣ କାର୍ଯ୍ୟ, ଆଜି ଅଖରେ ଲାଗିଲା ଚକ

ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାର ପ୍ରମୁଖ ବ୍ୟବସାୟୀ ନଗରୀ ମୁନିଗୁଡାରେ ତିନି ଠାକୁରଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ୟ୍ୟ ଗତ ୧ ତାରିଖରୁ ଆରମ୍ଭ କରିଛନ୍ତି। କରୋନାକୁ ନେଇ ଅନେକ ଅନିଶ୍ଚିତତା ମଧ୍ୟରେ ଥିବାବେଳେ ପ୍ରଭୁଙ୍କ ଏହି ଗୁଣ୍ଡିଚା ଯାତ୍ରା ପାଇଁ ରଥନିର୍ମାଣ ଆରମ୍ଭ ହୋଇଛି। ତେବେ ରଥଯାତ୍ରାକୁ ସ୍ୱଳ୍ପ ସମୟ ରହିଥିବା ବେଳେ ବିଶ୍ୱକର୍ମା କୁଳ ମହାରଣାମାନେ ଜୋରସୋରରେ କାମ କରିଚାଲିଛନ୍ତି। ବିଧି ବିଧାନ ମଧ୍ୟରେ ମୁଖ୍ୟ ମହାରଣା ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି କାମର ଅନୁକୂଳ କରିଥିଲେ।

ଘୋଷଯାତ୍ରା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରତନଲାଲ ଜୈନ,ସମ୍ପାଦକ ସୁଧାକର ମହାରଣା,କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ବ୍ରହ୍ମା ଓ ଅନ୍ୟ ସମସ୍ତ ପଦାଧିକାରୀମାନେ ଉପସ୍ଥିତ ରହି ପ୍ରଭୁଙ୍କ ରଥର କାର୍ଯ୍ୟକୁ ତଦାରଖ କରିବା ସହ ମହାରଣାମାନଙ୍କ ସହ ରଥ ନିର୍ମାଣକୁ ନେଇ ଆଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚକ ଅଖରେ ଲାଗିବା ସହ ଦଣ୍ଡା, କୋଣଗୁଜ, ଜଳଯନ୍ତ୍ର ଓ ନିରାଡ଼ି ଲାଗିଛି। ପ୍ରତ୍ୟେକ ଦିନ ନିୟମ ଅନୁଯାୟୀ ରଥରେ ବିଭିନ୍ନ ଅଂଶ ଲାଗି ପୂର୍ଣାଙ୍ଗ ହେବ। ତା’ପରେ ରଙ୍ଗୀଣିମାନେ ପାରମ୍ପାରିକ ଭାବେ ପ୍ରାକୃତିକ ରଙ୍ଗରେ ରଥକୁ ସୁସଜିତ କରିବେ।

ଓଡ଼ିଆ ଜୀବନ ଯାତ୍ରାର ସମସ୍ତ କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ତା’ ତୁଳି ଆଉ ରଙ୍ଗ ଦ୍ୱାରା ରଥରେ ଜୀବନ୍ୟାସ ଦେଇ ନିଜ ସେବା ସମର୍ପଣ ଦେବେ। କରୋନାର ଭୟ ସତ୍ତ୍ୱେ ମୁନିଗୁଡାର ଭକ୍ତ ତା’ କାଳିଆ ଠାକୁରଙ୍କ ଉପରେ ପୂର୍ଣ ବିଶ୍ୱାଶ ରଖିଛି। କିଛି ଅସୁବିଧା ହେବନି, ସରକାରଙ୍କ ସବୁ କଟକଣା ମଧ୍ୟରେ ପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହେବ। ଆଉ ସଭିଙ୍କର ସହଯୋଗ ରହିଛି ବୋଲି ସମ୍ପାଦକ ସୁଧାକର ମହାରଣା କହିଛନ୍ତି। ଏହି କାର୍ଯ୍ୟରେ ମହାରଣାମାନଙ୍କ ମଧ୍ୟରେ ସଭାପତି ଆଇନଜୀବୀ ସୁଧାକର ମହାରଣାଙ୍କ ସହ ପ୍ରକାଶ ମହାରଣା, ନାରାୟଣ ମହାରଣା, ପ୍ରଶାନ୍ତ ମହାରଣା, ସରୋଜ ମହାରଣା ପ୍ରମୁଖ ଶିଳ୍ପୀ ପ୍ରଭୁଙ୍କ ରଥ କାର୍ଯ୍ୟରେ ଲାଗିଛନ୍ତି।