୯ଲକ୍ଷ ଟଙ୍କା ସହ ୪୩୮କିଲୋ ଗଞ୍ଜେଇ ଜବତ,ଗୃହରକ୍ଷୀଙ୍କ ସହ ୬ ଗିରଫ

ଜୟପୁର,କୋଟପାଡ,ଏନ୍ଏନ୍ଏସ୍ : ଜୟପୁର ସଦର ଥାନା ପୁଲିସ୍ ଦ୍ୱାରା ଏକ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କୋଟପାଡ ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କ ସମେତ ୬ଜଣକୁ ଗିରଫ କରା ଯାଇଥିବା ଜୟପୁର ଏସଡିପିଓ ସୂଚନା ଦେଇଛନ୍ତି। କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ୟୁପୁ-୭୮ସିଏନ୍ ୬୩୭୧ ନମ୍ବର ଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡଙ୍କୁ ମିଳିଥିଲା। ଓଆଇସି ମହାଙ୍କୁଡଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ଏନ୍.କେ.ଟପ୍ପୋ ଓ ପୁଲିସ୍ କର୍ମଚାରୀ ୨୬ ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ଗାଡିକୁ ଅପେକ୍ଷା କରି ରହିଥିଲେ। ଟ୍ରକ୍ ପହଂଚିବା ମାତ୍ରେ ପୁଲିସ୍ ଟିମ୍ ଗାଡିକୁ ଅଟକାଇ ଚେକିଂ କରିବା ବେଳକୁ ଗାଡିରୁ ୪୩୮ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ ଟ୍ରକ୍ ସହ ଗଞ୍ଜେଇ ଜବତ କରିଥିବାବେଳେ ଘଟଣାରେ ଉତର ପ୍ରଦେଶର ଫାଇଜାବାଦ୍ ଜିଲା ରାମପୁର ଗ୍ରାମର ଉମା ଶଙ୍କର ସିଂହ୍(୨୬) ଓ ରାଇବରେଲି ଜିଲା ଆସରାଫବାଦ୍ର ଦେଜବାହାଦୁର୍ ସିଂହ୍(୫୧)କୁ ଗିରଫ କରିଥିଲା। ଗିରଫ ଦୁଇଜଣଙ୍କୁ ଜେରା ସମୟରେ କୋଟପାଡ ଅଂଚଳର କେତେକ ଯୁବକ ସମ୍ପୃକ୍ତ ଥିବା ପୁଲିସ୍ ଜାଣି ପାରିଥିଲା। ଏସପି ବରୁଣ ଗୁଂଟୁପାଲ୍ଲିଙ୍କ ନିର୍ଦ୍ଦେଶରେ କୋଟପାଡ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ନେତୃତ୍ୱରେ କୋଟପାଡ,ଢାମଣାହାଣ୍ଡି,ସୁତିପଦର ଓ ଏରାପଲି ଗ୍ରାମରେ ଚଢାଉ କରିଥିଲାବେଳେ ପୁଲିସ୍ କୋଟପାଡ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଅକ୍ଷୟ କୁମାର ସ୍ୱାଇଁ(୩୪),ସୁତିପଦରର ସୁନାଧର ହରିଜନ(୩୬),ଜୟପୁର ଥାନା ଏରାପଲି ଗ୍ରାମର ବିଶ୍ୱନାଥ ଭଣ୍ଡାରୀ(୩୦) ଓ ଢାମଣାହାଣ୍ଡିର ବ୍ରଜେନ୍ଦ୍ର ବ୍ରହ୍ମା(୫୨)କୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ୍ ୬ଟି ମୋବାଇଲ ଫୋନ୍ ,ନଗଦ ୯ ଲକ୍ଷ ଟଙ୍କା ଏବଂ ଏକ ମାରୁତି ଅଲଟୋ(ସିଜି-୦୪ଏଚଆର୍ ୪୫୭୯)କାର୍ ଜବତ କରିଛି।