କରୋନା ସଂକଟକୁ ସୁଯୋଗରେ ବଦଳାଇବା ପାଇଁ ୪୧ କୋଇଲା ଖଣି ନିଲାମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଅଂଶ ଭାବେ ବାଣିଜ୍ୟିକ ଉପଯୋଗ ଲାଗି ଉଦ୍ଦିଷ୍ଟ କୋଇଲା ଖଣିଗୁଡ଼ିକର ଖୋଲା ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ୪୧ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଉଦଘାଟନ କରିଛନ୍ତି ମୋଦୀ। ଏହି ଅବସରରେ ମୋଦୀ କହିଛନ୍ତି ଯେ କରୋନା ସଙ୍କଟକୁ ଅବସରରେ ବଦଳାଇବୁ। ଭାରତ କରୋନା ସହିତ ଲଢ଼େଇ କରିବ ଏବଂ ଆଗକୁ ବଢ଼ିବ। ଏହି ସଙ୍କଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି।

ଦଶନ୍ଧି ଦଶନ୍ଧି ଧରି ଦେଶର କୋଇଲା କ୍ଷେତ୍ର ପ୍ରତିଯୋଗିତା ଭିତରେ ବନ୍ଧି ହୋଇଥିଲା। ୨୦୧୪ ପରେ ଏହାକୁ ପ୍ରତିଯୋଗିତାରୁ ବାଦ ଦିଆଯାଇ ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଯାହାଦ୍ୱାରା ବର୍ତ୍ତମାନ ଦେଶରେ କୋଇଲା କ୍ଷେତ୍ର ମଜବୁତ ହେବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣି ନିଲାମର ଶୁଭାରମ୍ଭ କରୁନାହୁଁ, ବରଂ କୋଇଲା କ୍ଷେତ୍ରକୁ ଲକ୍‌ଡାଉନରୁ ବାହାରକୁ ବାହାର କରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଖଣିଜ କ୍ଷେତ୍ର ବିନା ଭାରତ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ। ଦେଶରେ ୧୬ ଏପରି ଜିଲ୍ଲା ରହିଛି, ଯେଉଁଠି କୋଇଲାର ବଡ଼ ବଡ଼ ଭଣ୍ଡାର ଅଛି। ଏହାର ଫାଇଦା ସେଠାକାର ଲୋକଙ୍କୁ ଯେତିକି ମିଳିବା କଥା ସେତିକି ମିଳୁନାହିଁ। ତେଣୁ ଏହାକୁ ଅଧିକ ସକ୍ରିୟ କରିବା ଲାଗି ୨୦୩୦ ସୁଦ୍ଧା ପ୍ରାୟ ୧୦୦ ନିୟୁତ ଟନ୍ କୋଇଲା ଗ୍ୟାସ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ସ୍ଥିର ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହାଦ୍ୱାରା ନିଯୁକ୍ତି ସୃଷ୍ଟି ହେବା ସହ ଦେଶର ଅର୍ଥନୀତିରେ ସୁଧାର ହେବ ବୋଲି ଜଣାପଡ଼ିଛି।