ଭୋଜିଖାଇ ୪୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଖାଦ୍ୟ ନମୁନା ସଂଗ୍ରହକଲା ଡାକ୍ତରୀ ଟିମ୍

କଣାସ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା କଣାସ ବ୍ଲକ୍ କଣାସ ପଞ୍ଚାୟତ ସହନା ଗ୍ରାମରେ ବିବାହ ଭୋଜି ଖାଇ ୪୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଓ କର୍ମଚାରୀଙ୍କ ଦୀର୍ଘ ୧୨ଘଣ୍ଟା ଆକ୍ଳାନ୍ତ ଉଦ୍ୟମ ପରେ ପରିସ୍ଥିତି ନିୟାନ୍ତ୍ରଣାଧୀନ ଥିବା ଜଣାପଡ଼ିଛି। ସମସ୍ତେ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ମେଡିକାଲ ଅଧିକାରୀ ଭୋଜିସ୍ଥଳରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ଯେ ସହନା ଗ୍ରାମର ମାନଗୋବିନ୍ଦ ଜୟସିଂହଙ୍କ ବଡ଼ପୁତ୍ର ନିହାର ରଞ୍ଜନ ଜୟସିଂହ ଗତ ୨ତାରିଖ ଦିନ ବିବାହ କରିଥିଲେ। ଶୁକ୍ରବାର ଗ୍ରାମରେ ବିବାହ ଭୋଜି ଦିଆଯାଇଥିଲା। ଭୋଜିରେ ଅଞ୍ଚଳର ୨ହଜାରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗ ଦେଇଥିଲେ। ରାତିରେ ଭୋଜି ସରିଥିଲା। ମାତ୍ର ରାତି ପ୍ରାୟ ଗୋଟାଏରେ ଭୋଜିଖାଇଥିବା ଦୁପୁର ଗ୍ରାମର କେତେକ ବ୍ୟକ୍ତି ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ପଛକୁ ପଛ ବିଭିନ୍ନ ଗ୍ରାମରୁ ଆକ୍ରାନ୍ତ ଆସି ଡାକ୍ତରଖାନାରେ ପହଞ୍ଚିଥିଲେ।

ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହେବା ଜଣାପଡ଼ିବା ପରେ ଅଞ୍ଚଳରେ ଚହଳ ପଡ଼ିଯାଇଥିଲା। ଖବରପାଇ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀଧର ମହାରଣା, ଅତିରିକ୍ତ ତହସିଲଦାର ସହଦେବ ସାହୁ ମେଡିକାଲରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାଥମିକ ତଦନ୍ତରୁ ସମସ୍ତେ ଏହି ଭୋଜି ଖାଇଥିବା ଜଣାପଡ଼ିଥିଲା। ପୁରୀରୁ ମଧ୍ୟ ଡିପିଏଚ୍ଓ ବିରଜା ଶଙ୍କର ରଥ, ଏପିଡୋଲୋଜିଷ୍ଟ ଡାକ୍ତର ଇନ୍ଦିରା ମହାପାତ୍ର, ଫୁଡ୍ ଆସିଷ୍ଟାଣ୍ଟ ପ୍ରମୁଖ ମେଡିକାଲରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରି ବିବାହ ଭୋଜିସ୍ଥଳକୁ ଯାଞ୍ଚ କରିଛନ୍ତି।