ବରଗଡ଼,ଏନ୍ଏନ୍ଏସ୍: ପୁଲିସ ମାଡ଼ରେ ଯୁବକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏନେଇ ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସର ଲାଠି ମାଡ଼ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୁଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରୁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି।
ବରଗଡ଼ରେ ଘଟିଥିବା ଉତ୍ତେଜନା ଓ ଲାଠି ମାଡ଼ ଘଟଣାର ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଞ୍ଚି ଥିଲେ। ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାରୁ ଏକ ଶାନ୍ତି କମିଟି ଗଠନ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରାଯାଇଥିଲା। ଏହି କମିଟିରେ ବରଗଡ଼ ଏସ୍ପି ରାହୁଲ ଜୈନ, ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଉପସ୍ଥିତ ଥିଲେ।
ଘଟଣାର ତଦନ୍ତ ପାଇଁ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡ଼ିଆଇଜି ଜୟନାରାୟଣ ପଙ୍କଜ। ଅନ୍ୟପକ୍ଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଦେବାକୁ ଦାବି କରିଛନ୍ତି। ମୃତବ୍ୟକ୍ତିଙ୍କ ଶବକୁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ ପୁଲିସ ଫୋର୍ସମୁତୟନ କରାଯାଇଛି। ପୁଲିସ ମାଡ଼ରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଘଟଣାରେ ଡ୍ରାଇଭର ସମେତ ୪ ଜଣ ପୁଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଏସଆଇ ମଙ୍ଗଲ କିସ୍କୋ, ଏଏସ୍ଆଇ ପିତାମ୍ବର ବେହେରା, ଏଏସ୍ଆଇ କ୍ଷୀରୋଦ୍ର ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା ବୋଲି ବରଗଡ଼ ଏସ୍ପି ସୂଚନା ଦେଇଛନ୍ତି।