ବିଜେପିର ୪ଜଣିଆ ଟିମର ପାଟଣାଗଡ଼ ମରୁଡ଼ି ଅଞ୍ଚଳ ଗସ୍ତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡରେ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଜେପିର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ମରୁଡ଼ି ଅଞ୍ଚଳ ଗସ୍ତ କରିଛି। ଟିମରେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓଙ୍କ ସହ ବିଜେପି ନେତା ବିରଞ୍ଚି ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ଏହି ଟିମ୍ ପାଟଣାଗଡ଼ ଉପଖଣ୍ଡର ଧୁବଲପଡ଼ା, ସରମୁହାଣ, ଘିକୁଣ୍ଡି, ଉଲବା ଓ ଭଇଁଷା, ରାମନ୍ଦ୍ରପୁରର ବିଭିନ୍ନ ସ୍ଥାନକୁ ଯାଇ ମରୁଡ଼ି ସମ୍ପର୍କରେ ଅନୁଧ୍ୟାନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ମରୁଡ଼ି ଅଞ୍ଚଳକୁ କୌଣସି ସରକାରୀ ଅଧିକାରୀ ଆସିନଥିବାରୁ ମନମୋହନ ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଜଳସେଚନର ସୁବିଧା ପାଇ ଡିଣ୍ଡିମ ପିଟୁଥିଲେ ମଧ୍ୟ ଚାଷୀଙ୍କ ପାଇଁ କୌଣସି ପ୍ରକାର ଜଳସେଚନର ବ୍ୟବସ୍ଥା କରିନଥିବାରୁ ସରକାରଙ୍କ ଉପରେ ବିଜେପି ଟିମ୍ ବର୍ଷିଥିଲେ। ମୋଦୀ ସରକାର ଓଡ଼ିଶାକୁ ପ୍ରଚୁର ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିପାରିନଥିବାରୁ କଡ଼ା ସମାଲୋଚନା କରିଥିଲେ। ଏହି ଗସ୍ତରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ଓ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।