ପ୍ରେସଲେଖା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ଦେଓଗାଁ,ଏନ୍‌ଏନ୍‌ଏସ୍‌: ତୁଷୁରା-ଦେଓଗାଁ ରାସ୍ତାର ନାଇକେନଶିରା ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରେସ ଲେଖାଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସଇଁନ୍ତଲା ଥାନା ବିବିନାର କିଶୋର ନାଗ, କୁଇକେଡ଼ାର ଦିନେଶ ତାଣ୍ଡି, କଳାହାଣ୍ଡି ଜିଲ୍ଲା ବେଳଖଣ୍ଡିର ସାମ୍ବାଦିକ ପୃଥ୍ୱୀରାଜ ଛତରିଆ ଓ ସରଗୁଲର ଗୁଣନିଧି ବିଭାର । ୨ ଗୁରୁତରଙ୍କୁ ଦେଓଗାଁ ଦମକଳ ବାହିନୀ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିବାବେଳେ ଅନ୍ୟ ୨ଜଣଙ୍କୁ ଦେଓଗାଁ ପୁଲିସ ନିଜ ଗାଡ଼ିରେ ଲଦିଦେଓଗାଁ ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ତୁଷୁରା ପଟରୁ ଦେଓଗାଁ ଅଭିମୁଖେ ଆସୁଥିବା ପ୍ରେସ ଲେଖା ଗାଡ଼ି ନାଇକେନଶିରା ଛକଠାରେ ଭାରସାମ୍ୟ ହରାଇ ଏକ ପଳାଶ ଗଛକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ି ଭିତରେ ଥିବା ୪ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ଖବର ପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଓଗାଁ ପୁଲିସ ଜବତ କରି ଅଧିକ ତଦନ୍ତ ଚଲାଇଛି ।