ଅବପାତର ରୂପ ନେଉଛି ଲଘୁଚାପ, ଆସନ୍ତା ୨୦ରୁ ପୁଣି ରାଜ୍ୟରେ ବର୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଜି ରାତି ସୁଦ୍ଧା ଏହା ଏକ ୱେଲମାର୍କ (ସୁଦୃଶ୍ୟ) ଲଘୁଚାପ ରୂପ ନେବ । ପରବର୍ତ୍ତୀ ସମୟରେ ସୁଦୃଶ୍ୟ ଲଘୁଚାପ ଅବପାତ ରୂପ ନେବା ନେଇ ପୂର୍ବାନୁମାନ କରାଯାଉଛି । ଫଳରେ ଉତ୍ତର ଓଡ଼ିଶାରେ ବିଶେଷ ଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।

ଅବପାତର ରୂପ ନେବାପରେ ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତ କରିବ । ଏହାକୁ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଲଘୁଚାପ ଯୋଗୁଁ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ପ୍ରଭାବିତ ହେବ । ଅଗଷ୍ଟ ୧୯ ତାରିଖରେ ରାଜ୍ୟରେ ସର୍ବାଧିକ ବର୍ଷା ହେବା ସମ୍ଭାବନା ରହିଛି ।”

ଅଗଷ୍ଟ ୧୯ ସହ ୨୦ ତାରିଖରେ ମଧ୍ୟ ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିବ । ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖରେ ଲଘୁଚାପ ଝାଡ଼ଖଣ୍ଡ ଉପରେ କେନ୍ଦ୍ରିଭୂତ ହେବ, ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷାର ହେବା ସମ୍ଭାବନା ରହିଛି । ଏହି ସମୟରେ ଉତ୍ତର ଛତିଶଗଡ଼ରେ ମଧ୍ୟ ଅତ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।

୧୯ ଓ ୨୦ ତାରିଖରେ ବର୍ଷା ଯୋଗୁଁ ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି । ଏହାଦ୍ବାରା ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିପାରେ । କାରଣ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କାରଣ କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।