ନୂଆ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ୪ ଡାକ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରିତ ହୋଇଛି। ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦୀଙ୍କ ଏହି ନୂଆ ଟିମରେ ୪ ଜଣ ଡାକ୍ତର ମନ୍ତ୍ରୀଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ ଲୋକସଭାକୁ ଆସିଥିବା ସୁବାଷ ସରକାର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେ ଏମ୍ସ କଲ୍ୟାଣୀରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଭାବେ କାମ କରିଛନ୍ତି।
ରାଜ୍ୟସଭା ସାଂସଦ ଡାକ୍ତର ଭାଗବତ କ୍ରିଷ୍ଣାରାଓ କରାଡଙ୍କୁ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ଜଣେ ଡାକ୍ତରଭାବେ ଔରଙ୍ଗାବାଦରେ ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଚଳାଉଛନ୍ତି। ସେହିପରି ଆଜି ମନ୍ତ୍ରୀଭାବେ ଶପଥ ନେଇଥିବା ମହାରାଷ୍ଟ୍ର ଡିଣ୍ଡୋରି ଲୋକସଭା ସାଂସଦ ଭାରତୀ ପରଭିନ ପାୱାର ମଧ୍ୟ ପେଶାରେ ଜଣେ ଡାକ୍ତର।
ରାଜନୀତିକୁ ଆସିବା ଆଗରୁ ସେ ଡାକ୍ତର ଥିଲେ। ମନ୍ତ୍ରୀଭାବେ ଶପଥ ନେଇଥିବା ଗୁଜୁରାଟର ସୁରେନ୍ଦ୍ର ନଗର ଲୋକସଭା ସାଂସଦ ମୁଞ୍ଜାପରା ମହେନ୍ଦ୍ର ଭାଇ ମଧ୍ୟ ଜଣେ ଡାକ୍ତର। ଗୁଜୁରାଟ ୟୁନିର୍ଭସିଟିରେ ଜେନେରାଲ ମେଡିସିନର ଏମଡିଭାବେ ସେବା ଯୋଗାଇ ଆସିଛନ୍ତି।