ଜୁଆ ଆଡ୍ଡାରେ ଅଭିନବ ଉପାୟରେ ଚଢ଼ଉ, ୧୮ ଗିରଫ

  • ବ୍ରଜରାଜନଗର: ପୁଲିସ ଅଭିନବ ଉପାୟରେ ଚଢ଼ଉ କରି ୧୮ ଜଣଙ୍କୁ ଗିରଫ କରିଛି। ଲୁଙ୍ଗି ପିନ୍ଧି ଓ ମୁଣ୍ଡରେ ଗାମୁଛା ବାନ୍ଧି ଆଡ୍ଡାରେ ପହଞ୍ଚିଥିଲେ। କେହି କେହି ହାଫ୍ ପ୍ୟାଣ୍ଟ୍ ବି ପିନ୍ଧିଥିଲେ। ୩ଟି ଅଟୋରେ ଘଟଣାସ୍ଥଳରେ ପହଞ୍ଚିଥିଲେ। କେହି କିଛି ଜାଣିବା ଓ ବୁଝିବା ପୂର୍ବରୁ ଧାରା ପଡ଼ିଥିଲେ ୧୮ ଜୁଆଡ଼ି। ଜବତ ହୋଇଥିଲା ୮ ବାଇକ୍ ଓ ଲକ୍ଷାଧିକ ଟଙ୍କା। ପୁଲିସର ଏମିତି ବେଶ, ଅତର୍କିତ ଚଢ଼ଉ ଏବଂ ସୁଚିନ୍ତିତ ଯୋଜନା କୌଣସି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା। ବ୍ରଜରାଜନଗର ଥାନା ଅନ୍ତର୍ଗତ ବଡ଼ଜୋବ ଜଙ୍ଗଲରେ ବୁଧବାର ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜୁଆ ଖେଳ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାସ ଯୋଜନାବଦ୍ଧଭାବେ ଚଢ଼ଉ କରିବାକୁ ନିର୍ଣ୍ଣୟ ନେଇଥିଲେ।
    ସୂଚନା ଅନୁଯାୟୀ, ବଡ଼ଜୋବ ଜଙ୍ଗଲ ଭିତରେ ଜୁଆ ଆଡ଼ା ଚାଲୁଥିବା ନେଇ ଏସଡିପିଓ ଶ୍ରୀ ଦାସ ଜାଣିବା ପରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ତିନୋଟି ଟିମ୍ ପ୍ରସ୍ତୁତ କରାଯାଇଥିଲା। ଟିମ୍ରେ ଶ୍ରୀ ଦାସ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ, ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ, ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ସମେତ ୧୭ ଜଣ ୩ଟି ଅଟୋରେ ଯାଇଥିଲେ। ଯୋଜନା ଅନୁସାରେ ଭିନ୍ନ ଭିନ୍ନ ସମୟରେ ଅଟୋରେ ଯାଇ ସମସ୍ତେ ଜୁଆ ଆଡ୍ଡାର କିଛି ଦୂରରେ ପହଞ୍ଚିଥିଲେ। ନିର୍ଦ୍ଦିଷ୍ଟ ସମୟରେ ଘଟଣାସ୍ଥଳକୁ ଘେରାଉ କରି ଅତର୍କିତ ଭାବେ ଚଢ଼ଉ କରିଥିଲେ। ପୁଲିସର ଏଭଳି ଚଢ଼ଉ ସମ୍ପର୍କରେ ଜୁଆଡ଼ିମାନଙ୍କୁ କୌଣସି ସୁରାକ ବି ମିଳି ପାରିନଥିଲା। ଫଳରେ ଘଟଣାସ୍ଥଳରୁ ୧୮ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଗୋଟିଏ ବୋଲେରୋ, ୮ଟି ବାଇକ୍, ୧୮ ମୋବାଇଲ ସହ ନଗଦ ୧ ଲକ୍ଷ ୧୪ ହଜାର ୩୨୦ ଟଙ୍କା ଜବତ କରାଯାଇଥିଲା। ଏହି ଅଞ୍ଚଳରେ ଜୁଆ ଖେଳିବା ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ଛତିଶଗଡ଼ ଅଞ୍ଚଳରୁ ଜୁଆଡ଼ିମାନେ ଆସୁଥିବାବେଳେ ଏହାର ମୁଖ୍ୟ ରେଙ୍ଗାଲି ଅଞ୍ଚଳର ବୋଲି କୁହାଯାଉଛି। ଆଜି ଯେଉଁ ଜୁଆଡ଼ିମାନେ ଧରାପଡ଼ିଛନ୍ତି ସେମାନଙ୍କ ମଧ୍ୟରେ ରେଙ୍ଗାଲି ଥାନା ସାଗରପାଲି ଅଞ୍ଚଳର ଜଣେ ଥିବା ପୁଲିସ ସୂଚନା ଦେଇଛି।