ପୃଥକ ଦୁର୍ଘଟଣାରେ ୪ ମୃତ

ଭଣ୍ଡାରିପୋଖରୀ/ବାରିକପୁର/ମାଲକାନଗିରି,ଏନ୍‌ଏନ୍‌ଏସ୍‌: ଦୁଇଟି ପୃଥକ ସ୍ଥାନରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟି ୨ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ମାଲକାନଗିରି କୋରକୋଣ୍ଡା ବ୍ଲକର ଏମ୍‌ଭି-୩୮ ଗ୍ରାମ ନିକଟରେ ଦୁଇଟି ବାଇକ୍ ମଧ୍ୟମରେ ଧକ୍କା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ପ୍ରକାଶ ଯେ, ଡବ୍ଲ୍ୟୁ-ବି୦୨-ଏଏନ-୭୯୪୫ କାର ଯୋଗେ ଚାରି ଜଣ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁ ଜଗା ଦର୍ଶନ ପାଇଁ ପୁରୀ ଆସୁଥିଲେ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଦିନ ପ୍ରାୟ ୨ଟା ସମୟରେ ଏକ ହାଇୱା ଟ୍ରକ ହଠାତ ଡାହାଣ ପାର୍ଶ୍ୱକୁ ମାଡି ଆସିବାରୁ କାରଟି ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁ କାରର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେଥିରେ ଯାଉଥିବା ୪ଜଣ ଜଗନ୍ନାଥ ପ୍ରେମୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଭଦ୍ରକ ମେଡିକାଲକୁ ପଠାଯାଇଥିବା ବେଳେ ଡାକ୍ତର ଦୁଇଜଣଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ପଶ୍ଚିମବଙ୍ଗ ମାଣିକତାଲା ଅଞ୍ଚଳର ଶୁଭଜିତ ବିଶ୍ୱାସ (୫୮) ଓ ଅରୁଣ ମୁଖାର୍ଜ୍ଜୀ (୫୬) । କାର ଚାଳକ ସଞ୍ଜିବ ଶାହା ଓ ଅନ୍ୟଜଣେ ସହଯାତ୍ରୀ ଅର୍ଜିତ ଦତ୍ତ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ଅନ୍ୟପକ୍ଷରେ ମାଲକାନଗିରି କୋରକୋଣ୍ଡା ବ୍ଲକର ଏମଭି-୩୮ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ସାଧୁରାମ ଖରା ଓ ଡମୁ ଖେମୁଡୁ । ଆହତମାନେ ହେଲେ ପର୍ଶୁରାମ ଖରା ଓ କୁଶ ଖିଲ ।

ଘଟଣା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକର ଆରଏସସି-୧୬ ଗ୍ରାମର ପର୍ଶୁରାମ ଖରା ଏବଂ ସାଧୁରାମ ଖରା ବାଇକ କିଣିବା ପାଇଁ ମାଲକାନଗିରି ଆସିଥିଲେ । ବାଇକ କିଣି ଚିତ୍ରକୋଣ୍ଡା ଯାଉଥିବା ବେଳେ ଏମ୍‌ଭି-୩୮ ଗ୍ରାମ ନିକଟରେ ବାଲିମେଳାରୁ ତିନି ଜଣ ଏକ ବାଇକରେ ମଦ ପିଇବା ସହ ଦ୍ରୁତ ଗତିରେ ଆସି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଧକ୍କା ଏତେ ଜବରଦସ୍ତ ଥିଲା ଯେ ଦୁଇ ବାଇକର ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ନୂଆ ଗାଡି କିଣି ଚିତ୍ରକୋଣ୍ଡା ଯାଉଥିବା ଯୁବକମାନଙ୍କ ମଧ୍ୟରୁ ସାଧୁରାମ ଖରାର ମୃତ୍ୟୁ ହୋଇଥିବା ବେଳେ ପର୍ଶୁରାମ ଖରାର ଗୋଡ଼ ଭାଙ୍ଗିଯାଇଛି । ସେହିପରି ବାଲିମେଳାରୁ ବାଇକ୍‌ରେ ଫେରୁଥିବା ତିନି ଜଣଙ୍କ ମଧ୍ୟରୁ ଡମୁ ଖେମୁଡୁର ମୃତ୍ୟୁ ହୋଇଥିବା ବେଳେ କୁଶ ଖିଲ ଗୁରୁତର ହୋଇଛି । ଅନ୍ୟ ଜଣେ ସେଠାରୁ ଫେରାର ରହିଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପ଼ଡିଛି ।