କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ, ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୁଅ

-ରାଜପଥରେ ବାଣ୍ଟିଲେ ଜାତୀୟ ଏକତାର ବାର୍ତ୍ତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମବଙ୍ଗ ଲୋକସଭା ପ୍ରବାସରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ କୋଲକାତା ଉତ୍ତର ଠାରେ ଏକ ବାଇକ୍ ଶୋଭାଯାତ୍ରାରେ ଯୋଗଦେଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଲକାତା ରାଜପଥରେ ବାଇକ୍ ରାଲିରେ ଜାତୀୟ ପତାକା ଧରି ଜାତୀୟ ଏକତା, ଶାନ୍ତି, ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିଥିଲେ । ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ଅଭିଯାନ ସମସ୍ତଙ୍କୁ ପୁନର୍ବାର ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଃସ୍ୱାର୍ଥପର ଦେଶପ୍ରେମୀ ତଥା ପଶ୍ଚିମବଙ୍ଗର ସୁଯୋଗ୍ୟ ସନ୍ତାନ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପଶ୍ଚିମବଙ୍ଗ ଲୋକସଭା ପ୍ରବାସ ଅଧୀନରେ ଶ୍ରୀ ପ୍ରଧାନ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଲୋକମାନଙ୍କୁ ମୋଦୀ ସରକାରଙ୍କ ୮ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣର ହିସାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ ।

ଏହାବ୍ୟତୀତ କାଶୀପୁର କୈଳାଶଧାମ୍ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ । କାନକୁରଗାଚ୍ଛି ସ୍ଥିତ ରାମକୃଷ୍ଣ ମଠ ଓ ଶ୍ରୀ ରାମକ୍ରୀଷ୍ଣ ପ୍ରେମ ବିହାର ଆଶ୍ରମ ପରିଦର୍ଶନ କରିଥିଲେ । ଏଥିସହ ‘ଅନୁସିଲିଆନ ସମିତି’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଯୋଜନା, ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।