ବନ୍ଦ ଘରୁ ଉଦ୍ଧାର ହେଲା ୪ ମୃତ ଦେହ, ବିଷାକ୍ତ କ୍ଷୀର ପିଇ ମୃତ୍ୟୁ ହୋଇଥିବା ସନ୍ଦେହ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଶୁକ୍ରବାର ଏକ ବନ୍ଦ ଘରୁ ୪ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର  କରାଯାଇଛି। ବନ୍ଦ ଘରୁ ପଚା ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଭିତରୁ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ ରାଜଗାଙ୍ଗପୁର  ଆଇଟି କଲୋନୀରେ ଥିବା ପ୍ରମୋଦ ରାଉତଙ୍କ ଘରୁ ଆଜି ପୁଲିସ ୪ଟି ଗଳିତ ମୃତ ଦେହ ଉଦ୍ଧାର କରିଛି। ପ୍ରମୋଦ ରାଉତ ଏହି ଘରକୁ କାଂଶବାହାର ଗୋଆଲପଡାର ଜଣେ ବ୍ୟକ୍ତି ରଞ୍ଜିତ ପ୍ରସାଦଙ୍କୁ ଭଡ଼ାରେ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୨ ଦିନ ହେବ ଘରର କବାଟ ଭିତରପଟୁ ବନ୍ଦ ରହିଥିଲା। ଆଜି ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକମାନେ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେଠାକୁ ଆସିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ।

ଘରେ ରଞ୍ଜିତଙ୍କ ସହ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅ ରହୁଥିଲେ। ଏହି ପରିବାରକୁ ପଡିଶା  ଲୋକେ ଗୁରୁବାର ଦେଖିଥିବା ବେଳେ ପରେ ଆଉ ଦେଖିନଥିବା କହିଛନ୍ତି। ପୁଲିସ ସୂଚନା ଅନୁସାରେ ବିଷାକ୍ତ କ୍ଷୀର ପିଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।