କୋରୋନା ପାଇଁ ୧୪ଟି ସମ୍ଭାବ୍ୟ ଟୀକା ମଧ୍ୟରୁ ୪ଟିର କ୍ଲିନିକାଲ ପରୀକ୍ଷଣ ଖୁବ ଶୀଘ୍ର ହେବ-ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କୋରୋନା ଭୂତାଣୁ ନିରାକରଣ ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ୧୪ଟି ସମ୍ଭାବ୍ୟ ଟୀକା ମଧ୍ୟରୁ ୪ଟି ଟୀକା କ୍ଲିନିକାଲ ଟ୍ରାୟଲ ପର୍ଯ୍ୟାୟରେ ପ୍ରବେଶ କରିଛି। ସୋସିଆଲ ମିଡିଆରେ ବିଜେପି ନେତା ଜିବି ଏଲ ନରସିଂହ ରାଓଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସମଗ୍ର ବିଶ୍ୱ କୋଭିଡ -୧୯ ପାଇଁ ଏକ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସମଗ୍ର ବିଶ୍ୱରେ ୧୦୦ ରୁ ଅଧିକ ଟୀକା କୋରୋନା ଭାଇରସର ସମ୍ଭାବ୍ୟ ଟୀକା ମଧ୍ୟରେ ସ୍ଥାନ ପାଇଛନ୍ତି, ଯାହା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପ୍ରୟାସକୁ ସଂଯୋଜନା କରୁଛି। ଭାରତ ମଧ୍ୟ ଏଥିରେ ସକ୍ରିୟ ଭାବେ କାର୍ୟ୍ୟ କରୁଛି। ଭାରତରେ ପ୍ରସ୍ତୁତ ହୋଇଥିବା ୧୪ଟି ସମ୍ଭାବ୍ୟ ଟୀକା ମଧ୍ୟରୁ ୪ଟି ଟୀକା ପାଞ୍ଚ ମାସ ମଧ୍ୟରେ କ୍ଲିନିକାଲ ଟ୍ରାୟଲ ପର୍ଯ୍ୟାୟରେ ଖୁବ ଶୀଘ୍ର ଆରମ୍ଭ ହେବ। ଏହି ୧୪ଟି ଟୀକା ବର୍ତ୍ତମାନ ପ୍ରି-କ୍ଲିନିକାଲ୍ ପରୀକ୍ଷା ପର୍ଯ୍ୟାୟରେ ଅଛନ୍ତି।

ତେବେ ସମସ୍ତ ଟୀକା ଏବେ ପରୀକ୍ଷଣ ପ୍ରକ୍ରିୟାରେ ଥିବାରୁ ଏହି ରୋଗ ବିରୋଧରେ ବର୍ତ୍ତମାନ କୌଣସି ଟୀକା କଥା ଭାବିବା ଉଚିତ୍ ନୁହେଁ। ଟୀକା ବିକଶିତ ହେବା ପରେ ଲୋକମାନଙ୍କ ନିକଟରେ ଏହା ପହଁଚିବାକୁ ଅତି କମରେ ଏକ ବର୍ଷ ସମୟ ଲାଗିବ। ତେଣୁ ଯେପର୍ଯ୍ୟନ୍ତ ଟୀକା କିମ୍ବା ଏହାର ଉପଯୁକ୍ତ ଚିକିତ୍ସା ନ ମିଳିଛି ସାମାଜିକ ଦୂରତା, ମାସ୍କ, ସାନିଟାଇଜର ଓ ସ୍ଵଚ୍ଛତା ଅବଲମ୍ବନ କରିବା ଉଚିତ୍।