ସିନାପାଲି,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ତରଫରୁ ବାଘନଖ ଓ ହାତୀଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ୱର ମେହେର (୪୫) ଗଣ୍ଡାବାହାଲି ଗ୍ରାମର ମନୋଜ ମେହେର (୪୨) , କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨) ବୋଲି ଜଣାପଡିଛି। ହେଲେ ମନୋଜ ଓ ଧନେଶ୍ୱରଙ୍କ ସମ୍ପର୍କ ଶଳା ଭିଣୋଇ ହୋଇଥିବା ବେଳେ ଟୁରଚି ଗ୍ରାମର ୨ଜଣ ବାପ ଓ ପୁଅ ବୋଲି ଜଣାପଡିଛି।
ପ୍ରାପ୍ତ ଖବର ଅନୁସାରେ, ସିନାପାଲି ବ୍ଲକ୍ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ବ ଗଛ ଠାରେ ମନୋଜ ଓ ଧନେଶ୍ୱର ବାଘନଖ ଧରି ଗ୍ରାହକଙ୍କୁ ଜଗି ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ୨ ଜଣ ବ୍ୟକ୍ତିଙ୍କୁ କାବୁକରି ଗିରଫ କରିବା ସହ ତାଙ୍କ ଠାରୁ ବାଘନଖ ଜବତ କରିଥିଲେ। ଉକ୍ତ ଅଭିଯୁକ୍ତଙ୍କୁ ବନ ବିଭାଗକୁ ଆଣି କାହା କାହା ସହ ଲିଙ୍କ୍ ଯୋଡି ରହିଛି ବୋଲି ଅଧିକ ପଚରା ଉଚରା କରାଯାଇଥିଲା। ହେଲେ ଅଭିଯୁକ୍ତ ମାନେ କିଛି କହିନଥିଲେ। ହେଲେ ମନୋଜ ମେହେରଙ୍କ ମୋବାଇଲ ଖୋଲି ଚେକ୍ କରିଥିବା ବେଳେ ମୋବାଇଲରୁ ହାତୀଦାନ୍ତ ଫଟୋ ଥିବା ଜଣା ପଡିଥିଲା। ପରେ ଅଭିଯୁକ୍ତ ମନୋଜଙ୍କୁ ପଚାରିବାରୁ ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କୁ ସବୁ ସତ୍ୟାସତ୍ୟ କଥା କହିଥିଲା। ସେଠାରେ କଳାହାଣ୍ଡି ଜିଲ୍ଲାକୁ ଚାରା ଲମ୍ବି ଥିବା ଜଣାପଡିଥିଲା।
କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ୨ଜଣ ବ୍ୟକ୍ତିଙ୍କ ପାଖରେ ହାତୀଦାନ୍ତ ଥିବା ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ନେଇ ବନାଧିକାରୀ ଶ୍ରୀ ଟୋକ୍ନୋ ଖଡିଆଳ ଡିଏଫ୍ଓ ବିବେକ କୁମାରଙ୍କୁ ଜଣାଇଥିଲେ। ଡିଏଫ୍ଓ ବିବେକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଶିବ ପ୍ରସାଦ ରଥଙ୍କ ନେତୃତ୍ୱରେ ସିନାପାଲି ବନବିଭାଗ ସହ ଏକ ଟିମ୍ ଗଠନ କରି ଏମ୍ ରାମପୁର ବନ ବିଭାଗ ସାହାଯ୍ୟରେ ଟୁରଚି ଗ୍ରାମରେ ଚଢ଼ଉ କରି ସେଠାରେ ୨ଜଣ ଅଭିଯୁକ୍ତ ନୂଆଖାଉ ବାଗ ଓ ଚିତ୍ରସେନ ବାଗଙ୍କୁ ଗିରଫ କରି ତାଙ୍କ ଠାରୁ ୨ଖଣ୍ଡ ହାତୀଦାନ୍ତ ଜବତ କରାଯାଇଥିଲା। ଉକ୍ତ ଅଭିଯୁକ୍ତମାନଙ୍କୁ ଆହୁରି ଅଧିକ ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟଯେ, ଏହି ଚୋରା କାରବାର ଦୀର୍ଘଦିନରୁ ଚାଲି ଆସୁଥିବା ବେଳେ ସିନାପାଲି ବନ ବିଭାଗ ଏହା ଉପରେ ନଜର ପକାଇ ରହିଥିଲା। ଫଳରେ ଆଜି ସଫଳ ହୋଇଥିବା ବେଳେ ଆହୁରି ଅଧିକ ଜୋରଦାର କମିଙ୍ଗ ଅପରେସନ ଜାରି ରହିବ। ଏହି ୨ ଖଣ୍ଡ ହାତୀଦାନ୍ତର ମୂଲ୍ୟ ଇଣ୍ଟର ନାସନାଲ ମାର୍କେଟରେ ୪ କୋଟି ରହିଛି ବୋଲି ଜଣାପଡୁଥିବା ବେଳେ ଏହି ୨ଖଣ୍ଡ ହାତୀଦାନ୍ତ ର ଓଜନ ୫କେଜି ୨ଶହ ଗ୍ରାମ ବୋଲି ଜଣାପଡିଛି। ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ୭ ବର୍ଷ ଜେଲ କାରାଦଣ୍ଡ ରେ ରହିବାର ନିୟମ ବ୍ୟବସ୍ଥା ରହିଛି।
ୱାଇଲାଇଫ୍କୁ ବିସିସିଏଫ୍ ରୁ ଆହୁରି ଅଧିକ ନିରପେକ୍ଷ ତଦନ୍ତ କରାଯିବ ବୋଲି ଜଣାପଡିଥିବା ବେଲେ ଏନେଇ ସିନାପାଲି ବନ ବିଭାଗ ତରଫରୁ କେସ୍ ନମ୍ବର ୧୬୩/୨୧/ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଆହୁରି ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ଖଡିଆଳ ଓ ସିନାପାଲି ବନ ବିଭାଗ କର୍ମଚାରୀ ସାମିଲ ଥିଲେ।