ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ପାଟଣା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରିବା ସହିତ ପୋଚ ନଷ୍ଟ କରାଯାଇଛି । ଏଥିରେ ଅବକାରୀ ବିଭାଗ ୪ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ତୁରୁମୁଙ୍ଗା ଥାନା କେନ୍ଦେଇପଶି ଗ୍ରାମର ସୁନାରାଣୀ ମୁଣ୍ଡା (୨୩) ଓ ମୟୂରପଙ୍ଖା ଗ୍ରାମର ମନୋଜ ମୁଣ୍ଡା(୨୦)ପାଟଣା ଥାନା ଖୁଣ୍ଟାପଡା ଗ୍ରାମର ବୈକୁଣ୍ଠ ମୁଣ୍ଡା (୨୮)ଓ ପୁଟୁଳିଆ ଗ୍ରାମର ଡୁବୁରୁ ମୁଣ୍ଡା(୫୮) ଏମାନଙ୍କ ଠାରୁ ୨୮ ଲିଟର ମହୁଲି ମଦ ସହ ୨୮୦ କେଜି ମହୁଲି ମଦ ପାଇଁ ପ୍ରସ୍ତୁତ ହୋଇଥିବା ପୋଚ ନଷ୍ଟ କରାଯାଇଛି । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ପାଟଣା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ । ପୂର୍ବରୁ ଏ ଅଞ୍ଚଳରେ ବିପୁଳ ପରିମାଣରେ ମହୁଲି ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।