କଟକ,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଗତକାଲି ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ସମୟରେ ବାଧା ଏବଂ ହିଂସାକାଣ୍ଡ ସୃଷ୍ଟି କରିଥିବା ଅଭିଯୋଗରେ ୩୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ପୁରୀ ଜିଲ୍ଲାରୁ ୧୬, ଯାଜପୁର ଜିଲ୍ଲାରୁ ୧୪ ଏବଂ ଢେଙ୍କାନାଳରୁ ୬ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି।
ସେହିପରି ୩,୮୭,୧୭୭ ଲିଟର୍ ମଦ, ୩୮ ବେଆଇନ୍ ମାରଣାସ୍ତ୍ର, ୨୨୧୬.୫୬ ଗ୍ରାମ ନାର୍କୋଟିକ୍ସ ଡ୍ରଗ୍ସ ଜବତ କରାଯାଇଛି। ରାଜ୍ୟର ବିଭିିନ୍ନ ଥାନାରେ ମୋଟ ୪୯୬୬ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୧୯୦୩ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ତେବେ ଆସନ୍ତା କାଲି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଶୃଙ୍ଖଳିତ ନିର୍ବାଚନ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ୨୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ୧୭୫୩ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯିବା ସହ ଜିଲ୍ଲାସ୍ତରରେ ପୁଲିସ୍ ଅଧିକାରୀ ଓ ସ୍ଥାନୀୟ ପୁଲିସ୍ ପ୍ରଶାସନକୁ ନିୟୋଜିତ କରାଯାଇଛି। ସେହିପରି ୨୦୪୩୫ଟି ବୁଥ୍ରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ନିୟମାବଳୀକୁ ପାଳନ କରାଯିବା ସହ ନିର୍ବାଚନ ପରିଚାଳନାରେ କୋଭିଡ୍ ନିୟମ ପାଳନ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ।