ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ନିିର୍ବାଚନ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ମାର୍ଚ୍ଚ ୧୩ରେ ଅନୁଷ୍ଠିତ ହେବ। ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ରେ ଏବଂ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍ ଗ୍ରହଣ ପରେ ପରେ ଭୋଟ୍ ଗଣତି କରାଯିବ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଗତ ଜାନୁଆରୀ୧୧ରେ ନାଏବ୍ ସରପଞ୍ଚ, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି, ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ଘୋଷଣା ହୋଇଥିଲା। ଫଳରେ ଆସନ୍ତା ମାର୍ଚ୍ଚ ୧୧ରେ ସମସ୍ତ ଗ୍ରାମପଞ୍ଚାୟତର ନାଏବ୍ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୨୫ ମଧ୍ୟରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ,ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭାପତି, ଉପସଭାପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ।
ପରୋକ୍ଷ ନିର୍ବାଚନ ଜରିଆରେ ଏସବୁ ପଦବୀଗୁଡ଼ିକ ପୂରଣ ହେଉଥିବାରୁ ନିର୍ବାଚନ ଅଧିକାରୀମାନେ ସଭ୍ୟଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିବେ ଓ ସଂଶୋଧିତ ନିୟମ ସମ୍ପର୍କରେ ଅବଗତ କରିବେ। ଏପରିକି ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହରୁ ବାହାରକୁ ଆସିପାରିବେ ନାହିଁ ବୋଲି ନିୟମ କଡ଼ାକଡ଼ି ଭାବେ ପାଳନ ହେବ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପରୋକ୍ଷ ନିର୍ବାଚନ ନେଇ ସମୟ ଧାର୍ଯ୍ୟ ହୋଇଛି। ପଦବୀ ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ସକାଳ ସାଢ଼େ ୧୦ରୁ ସାଢ଼େ ୧୧ ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ। ସାଢ଼େ ୧୧ରୁ ସାଢ଼େ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଅପରାହ୍ନ ୧ ଘଣ୍ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର। ଅପରାହ୍ଣ ଦେଢ଼ଟା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ସଂପୃକ୍ତ ପଦବୀ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗ୍ରହଣ ପରେ ପରେ ଭୋଟ୍ଗଣତି କରାଯିବ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।