ସମ୍ବଲପୁର,ଏନ୍ଏନ୍ଏସ୍: ଗଛ କାଟୁଥିବା ଅଭିଯୋଗରେ ୩୫ ଗିରଫ। ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ କାଟୁଥିଲେ ଗଛ। ସ୍ଥାନୀୟ, ଦେବଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳରୁ ୩୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ଏହା ସହ ଧନୁଶର, ଟାଙ୍ଗିଆ, ବାଟୁଳି, ବର୍ଛା ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି।
ଖବର ଅନୁଯାୟୀ, ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡୀ ଅନୁପ୍ରବେଶ କାରୀଙ୍କ ଲୋଲୁପ ଦୃଷ୍ଟି। ଗଛ କାଟି ଚାଷ ଜମି ଓ ଘର ନିର୍ମାଣ ସକାଶେ ପଦା କରୁଛନ୍ତି ଶହ ଶହ ଏକର ଜଙ୍ଗଲ ଜମି। ଫଳରେ ରେଢାଖୋଲ ବନବିଭାଗ ପକ୍ଷରୁ ବଡ ଆକ୍ସନ। ରେଢାଖୋଲ ବନବିଭାଗ ପକ୍ଷରୁ ଏକ ବଡ ଧରଣର ଚଢ଼ଉ ହୋଇଥିଲା। ରେଢାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ କିଛି ଅନୁପ୍ରବେଶକାରୀ ଜଙ୍ଗଲ କାଟିବାର ଖବରପାଇ ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।
ବନ ବିଭାଗ ଦେଖିବା ବେଳକୁ ଶତାଧିକ ଅନୁପ୍ରବେଶକାରୀ ବିଶେଷ କରି ଝାଡଖଣ୍ଡରୁ ଆସି ଯାହା ଗଛ କାଟୁଥିଲେ ଏହି ସମୟରେ ବନବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ଘଟଣାରେ ୩୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ପାଖରୁ ଶିକାର ସମ୍ବନ୍ଧୀୟ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ଏସସିଏଫ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଏହି ଅଞ୍ଚଳରେ ବିଗତ ବର୍ଷେ ହେଲାଣି ଝାଡ଼ଖଣ୍ଡ ଏନଂ ସ୍ଥାନୀୟ ଲୋକ ମିଶି ଆସି ପୂର୍ବରୁ ମଧ୍ୟ ଜଙ୍ଗଲ କାଟି ବସବାସ ଏବଂ ଘରବାରୀ, ଚାଷ ଜମି କରିବା ପାଇଁ ପ୍ରୟାସ କରିଥିଲେ। ଯାହାକୁ ନେଇ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏବେ ପୁଣି ଥରେ ଆସି ଏଠାରେ ଅନୁପ୍ରବେଶକାରୀ ମାନେ ଗଛ କାଟୁଥିବାର ଅଭିଯୋଗ ପାଇ ବନବିଭାଗ ଚଢ଼ଉ କରିଥିଲା।