ମଧ୍ୟ ପ୍ରଦେଶରେ ୭ ଦିନ ପୂର୍ବରୁ ପହଞ୍ଚିଲା ମୌସୁମୀ, ସତର୍କ ସୂଚନା ଜାରି

ଭୋପାଳ,ଏଜେନ୍ସି: ସମଗ୍ର ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଚଳିତ ମାସର ଆରମ୍ଭରେ ମୌସୁମୀ କେରଳରେ ପହଞ୍ଚିବା ପରେ ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ, ମଣିପୁର, ମିଜୋରାମ, ଆସାମ ଆଦିରେ ସକ୍ରିୟ ହୋଇଥିଲା। ପରେ ମୌସୁମୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ପହଞ୍ଚି ବର୍ଷା ହୋଇଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାରେ ମଧ୍ୟ ଗୁରୁବାର ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି।

ମୌସୁମୀ ବାୟୁ ମଧ୍ୟପ୍ରଦେଶରେ ମଧ୍ୟ ପହଞ୍ଚିଛି। ସବୁଠାରୁ ବଡ଼ କଥା ହେଲା ଏହି ରାଜ୍ୟରେ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ରାଜ୍ୟ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଜବଲପୁର ଓ ଶହଡୋଲ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଭୋପାଳସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭୋପାଳ, ଜବଲପୁର ଓ ଗ୍ୱାଲିୟର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ହୋଇଛି।