ନୂଆଦିଲ୍ଲୀ, ଏଜେନ୍ସି: ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଦେଶର ଚାରି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ ଓ କେରଳ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରୁ ବର୍ତ୍ତମାନ ସୁଦ୍ଧା ୩୩୧ କୋଟିର ନଗଦ ଟଙ୍କା, ମଦ, ଡ୍ରଗସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ନିର୍ବାଚନ କମିଶନ ଉଦବେଗ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବିଧାନସଭା ନିର୍ବାଚନ କାଳରେ ମୋଟ୍ ୨୨୫.୭୭ କୋଟି ଟଙ୍କା ଜବତ ହୋଇଥିଲା।
ତାମିଲନାଡ଼ୁରୁ ସର୍ବାଧିକ ୧୨୭.୬୪ କୋଟି ଟଙ୍କା ଜବତ ହୋଇଥିଲାବେଳେ ପଶ୍ଚିମବଙ୍ଗରୁ ୧୧୨.୫୯ କୋଟି, ଆସାମରୁ ୬୩.୭୫ କୋଟି, କେରଳରୁ ୨୧.୭୭ କୋଟି ଏବଂ ପୁଡ଼ୁଚେରୀରୁ ୫.୭୨ କୋଟି ଟଙ୍କା ଜବତ ହୋଇଛି। ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ତାରିଖ ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ତେବେ ନିର୍ବାଚନ କାଳରେ କଳା ଟଙ୍କାର ଦୁରୁପଯୋଗ ରୋକିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ୨୯୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ଏହି ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।