ବର୍ଷକରେ ୫ଲକ୍ଷ ନିଯୁକ୍ତି ଦେବ ତୃଣମୂଳ 

କୋଲକାତା, ଏଜେନ୍ସି: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି। ଏହାଛଡ଼ା ବିଧବାଙ୍କୁ ମେ’ ମାସ ଠାରୁ ଏକ ହଜାର ଟଙ୍କା ଭତ୍ତା ଦିଆଯିବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି।
ମମତା କୋଲକାତାରେ ଇସ୍ତାହାର ପ୍ରକାଶ କରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରତିବର୍ଷ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ବେକାରଙ୍କ ସଂଖ୍ୟା ହ୍ରାସ କରିବାକୁ ଉଦ୍ୟମ କରାଯିବ। ରାଜ୍ୟରେ ୧୦ ଲକ୍ଷ ଅଣୁ ଓ କ୍ଷୁଦ୍ର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ। ମମତା କହିଲେ, ଟିଏମସି କ୍ଷମତାକୁ ଆସିବା ସମୟରେ ପଶ୍ଚିମବଙ୍ଗର ରାଜସ୍ୱ ପ୍ରାୟ ୨୫ ହଜାର କୋଟି ଟଙ୍କା ଥିଲା। ଏବେ ତାହା ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ ପୁଣି କ୍ଷମତାକୁ ଆସିଲେ କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିଲାବେଳେ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ରେଡିଟ୍ କାର୍ଡ ସୁବିଧା କରାଯିବ। ଏ ବାବଦରେ ମାତ୍ର ୪ ପ୍ରତିଶତ ସୁଧ ଲାଗୁହେବ। ପଶ୍ଚିମବଙ୍ଗରେ ସାଧାରଣବର୍ଗ ଓ ପଛୁଆବର୍ଗଙ୍କ ସର୍ବନିମ୍ନ ବାର୍ଷିକ ଆୟ ଯଥାକ୍ରମେ ୬ ହଜାର ଓ ୧୨ ହଜାର ଟଙ୍କା ସୁନିଶ୍ଚିତ କରାଯିବାକୁ ବିହିତ ପଦକ୍ଷେପ ନିଆଯିବ। ରାଜ୍ୟରେ ଦାରିଦ୍ର୍ୟ ହାର ୪୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି ମମତା ଦୃଢ଼ୋକ୍ତି କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଗରିବଙ୍କ ଘରକୁ ମାଗଣା ରାସନ ଯୋଗାଇ ଦେବା ଭଳି କେତେକ ଯୋଜନା କାର୍ଯ୍ୟକାରୀ କରାଯିବ। ଉଲ୍ଲେଖଯୋଗ୍ୟ ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ଅବସରରେ ମମତା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି। ଆୟୋଗ ବିଜେପି ଦ୍ୱାରା ପରିଚାଳିତ ହେଉଛି ବୋଲି ସେ ଆରୋପ କରିଛନ୍ତି।