ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଜି ଦୈନିକ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରବିବାର ଦିନ ଭାରତରେ କେବଳ ୩୦,୫୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୩୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜୁଲାଇ ପରେ ଗୋଟିଏ ଦିନରେ କରୋନା ମାମଲା ଚିହ୍ନଟ ହେବାରେ ଏହା ସବୁଠାରୁ କମ୍ ବୋଲି ରେକର୍ଡ କରାଯାଇଛି।
ତଥ୍ୟ ଅନୁଯାୟୀ, ୩୦,୫୪୮ ନୂତନ ରୋଗୀ ସହିତ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୮୮,୪୫,୧୨୭ ରେ ପହଞ୍ଚିଛି। ଏଥି ସହିତ, ୪୩୫ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୦,୦୭୦ ରେ ପହଞ୍ଚିଛି। ସେହିପରି ଦେଶରେ ୪,୬୫,୪୭୮ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୮୫୧ ଜଣ ଲୋକ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୨,୪୯,୫୭୯କୁ ବୃଦ୍ଧି ପାଇଛି।