ୟାମାହା ତିନିଚକିଆ ସ୍କୁଟରର ଫାଷ୍ଟ୍ ଲୁକ୍

ନୂଆଦିଲ୍ଲୀ, ଏଜେନ୍ସି: ସ୍ପୋର୍ଟସ୍ ବାଇକ୍ ପାଇଁ ବେଶ୍ ଜଣାଶୁଣା ଥିବା ୟାମାହା ପକ୍ଷରୁ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଲୁକ୍ ଥିବା ବାଇକର ବଜାର ପ୍ରବେଶ କରାଯାଉଛି। ମାତ୍ର ଚଳିତଥର କମ୍ପାନୀ କିଛି ନୂଆ କରିବାକୁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ତିନିଚକିଆ ସ୍କୁଟରର ଶୁଭାରମ୍ଭ କରିବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏହି ସ୍କୁଟରର ନାଁ ମଧ୍ୟ ରଖାଯାଇଛି। ଟ୍ରାଇସିଟି ୩୦୦ ନାଁ’ରେ ବଜାର ପ୍ରବେଶ କରିବାକୁ ଥିବା ୟାମାହାର ଏହି ସ୍କୁଟରଟି ବହୁ ଖାସ୍। ଜନଗହଳିପୂର୍ଣ୍ଣ ସ୍ଥାନରେ ବି ଏହି ସ୍କୁଟରଟି ବିଲକୁଲ୍ ଭିନ୍ନ ଏବଂ ସ୍ୱତନ୍ତ୍ର ଦେଖାଯିବ।

ଏଥିସହିତ ୟାମାହାର ଏହି ତିନିଚକିଆ ସ୍କୁଟରରେ ଆଗରେ ଦୁଇଟି ଚକା ଏବଂ ପଛରେ ଗୋଟିଏ ଚକା ରହିଥିବା ଦେଖିବାକୁ ମିଳିବ। ଅର୍ବାନ୍ ମୋବିଲିଟିକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ଏହାକୁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି। ନିକଟରେ ଅନୁଷ୍ଠିତ ଟୋକିଓ ମୋଟର୍ ଶୋ’ ୨୦୧୯ରେ କମ୍ପାନୀ ତରଫରୁ ଏହି ସ୍କୁଟରକୁ ପ୍ରଦର୍ଶିତ କରାଯାଇଛି। ୟାମାହାର ଏହି ସ୍କୁଟରଟି ୩ସିଟି କନସେପ୍ଟ ଉପରେ ଆଧାରିତ। ମାତ୍ର ୟାମାହା ଏହାର ସବିଶେଷ ବିବରଣୀ ଏବଂ ମୂଲ୍ୟ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରଦାନ କରିନାହିଁ। ମାତ୍ର ଏହା ତିନିଟି ରଙ୍ଗରେ ବଜାରକୁ ଆସିବ ବୋଲି ଜଣାପଡ଼ିଛି। ଆସନ୍ତା ମାସରେ ଇଟାଲିର ମିଲାନରେ ହେବାକୁ ଥିବା ଇଆଇସିଏମଏ ମୋଟର୍ ଶୋ’ରେ ଏହି ନୂତନ ତଥା ସ୍ୱତନ୍ତ୍ର ମଡେଲ୍ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ଅନୁମାନ କରାଯାଉଛି। ମାତ୍ର ଭାରତରେ ଏହାକୁ ଶୁଭାରମ୍ଭ କରାଯିବ କି ନାହିଁ, ସେନେଇ ସ୍ପଷ୍ଟ ହୋଇପାରିନାହିଁ। ଆସନ୍ତା ମାସ ୪ ତାରିଖରେ ଏହାକୁ ୟୁରୋପୀୟ ବଜାରରେ ପ୍ରବେଶ କରାଯିବ। ଏହାର ଓଜନ ପ୍ରାୟ ୨୩୯ କିଲୋଗ୍ରାମ୍ ବୋଲି ଅନୁମାନ କରାଯାଉଛି। ଏହି ସ୍କୁଟରଟି ଟ୍ରାଇସିଟି ସିରିଜର ସବୁଠୁ ହାଲୁକା ଯାନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।