ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵରେ “ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳଙ୍କ ମାର୍ଗଦର୍ଶନ” ଶୀର୍ଷକ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ୭୦ଟି ପଞ୍ଚାୟତର ସରପଞ୍ଚ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚାଇଲ୍ଡ ଲାଇନ ସଦସ୍ୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଉପସ୍ଥିତ ଥିଲେ।
ବାଲ୍ୟ ବିବାହ ଏକ କୁପ୍ରଥା ଓ ଏକ ଦଣ୍ଡନୀୟ ଅପରାଧ ବୋଲି କହି ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାକୁ ୨୦୨୨ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତ ତଥା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ବାଲ୍ୟବିବାହ ଅଧିନିୟମ-୨୦୦୬ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାରେ ଏଯାବତ ୩୭୦ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି, ସେହି ମଧ୍ୟରୁ ବାରକୋଟ ବ୍ଲକର ୧୦୫, ରିଆମାଳର ୧୫୩ ଓ ତିଳେଇବଣୀର ୧୧୨ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା ପରେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବିକୃତି ମିଳିଛି। ଏହି ଅବସରରେ ଜିଲ୍ଲାପାଳ ବାରକୋଟର ଅବଶିଷ୍ଟ ୧୧୯ , ତିଳେଇବଣୀର ୧୦୯ ଓ ରିଆମାଳର ୧୧୬ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସରପଞ୍ଚମାନଙ୍କ ସହଯୋଗରେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପଞ୍ଚାୟତ ସ୍ତରରେ ଶିଶୁମାନଙ୍କ ଅଭିଯୋଗର ଗ୍ରହଣ ଓ ଶୁଣାଣୀ ପାଇଁ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟଳୟରେ ଅଭିଯୋଗ ବାକ୍ସ ଲଗାଇବାକୁ ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ ଓ ୟୁନିସେଫର ଜିଲ୍ଲା ପରାମର୍ଶଦାତା ପୀତବାସ ବେହେରା ଏହି ଜିଲ୍ଲାସ୍ତରୀୟ କର୍ମଶାଳାକୁ ପରିଚାଳନା କରିଥିଲେ। ଚାଇଲ୍ଡଲାଇନ ନିର୍ଦ୍ଦେଶିକା ରୀତାରାଣୀ ରାଉତ, ସରପଞ୍ଚ ସଂଘର ସଭାପତି ସତ୍ୟନାରାୟଣ ପାଣି, ସମ୍ପାଦକ ପ୍ରକାଶ ଆଚାର୍ଯ୍ୟ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ପ୍ରବୀଣା ମିଶ୍ର, ମାନବୀ ରାୟ ଓ ନମିତା ରାଉତ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ଗଠନ ମୂଳକ ମତ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାଶ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ଵରଞ୍ଜନ ମଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ଦିଗରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଏକ ସଚେତନତା ମୂଳକ ପୋଷ୍ଟର ଉନ୍ମୋଚନ କରି ବାଲ୍ୟ ବିବାହ ସମ୍ପର୍କରେ ଉପଯୁକ୍ତ ତଥ୍ୟ ସହ ସୂଚନା ପ୍ରଦାନକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ।