ଜମ୍ମୁ ପୁଲିସ ଗୁଳିରେ ୩ ଆତଙ୍କୀ ନିହତ

ଜମ୍ମୁ,ଏଜେନ୍ସି : ଶୁକ୍ରବାର ଜମ୍ମୁ ନିକଟ ନଗ୍ରୋତା ଟୋଲଗେଟ୍ ନିକଟରେ ପୁଲିସ ଗୁଳିରେ ତିନିଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଆତଙ୍କୀମାନେ କାଠୁଆ ଜିଲ୍ଲାର ହିରାନଗର ସେକ୍ଟର ଅନ୍ତର୍ଗତ ଦୟାଲଛକରେ ଆନ୍ତର୍ଜାତିକ ସୀମା ଦେଇ ଭାରତରେ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଆତଙ୍କୀମାନେ କଶ୍ମୀର ଅଭିମୁଖେ ଯାଉଥିବା (ଜେକେ୦୩/୧୪୭୮) ଟ୍ରକରେ ବସି ଶୁକ୍ରବାର ସକାଳେ ଟୋଲଗେଟ୍ ନିକଟରେ ପହଞ୍ôଚଥିଲେ। ସେମାନେ ଟ୍ରକ୍ ଡାଲାରେ ଲୁଚି ବସିଥିଲେ। ପୁଲିସ ଟ୍ରକକୁ ଅଟକାଇବା କ୍ଷଣି ଆତଙ୍କୀମାନେ ଗୁଳି ଚଳାଇଥିଲେ।

ସେମାନଙ୍କ ଗୁଳିରେ ଜଣେ ପୁଲିସ କର୍ମୀ ଆହତ ହୋଇଥିଲେ। ପୁଲିସ ଓ ଆତଙ୍କୀଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଖଣ୍ଡଯୁଦ୍ଧ ଚାଲିବା ପରେ ଆତଙ୍କୀମାନେ ମୃତ୍ୟୁବରଣ କରିଥିଲେ। ଆତଙ୍କୀମାନେ ବଡ଼ ଧରଣର ଆକ୍ରମଣ ଉଦ୍ଦେଶ୍ୟରେ ଟ୍ରକ୍ରେ ବିପୁଳ ପରିମାଣର ଗୁଳିଗୋଳା ଧରି ଯାତ୍ରା କରୁଥିଲେ ବୋଲି ଜମ୍ମୁ-କଶ୍ମୀର ଡିଜିପି କହିଛନ୍ତି। ତେବେ ସୀମା ସୁରକ୍ଷା ବଳ ପୁଲିସ ଡିଜିପିଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି। ବିଏସଏଫ୍ ଆଇଜି ଏନଏସ୍ ଜମୱାଲ କହିଛନ୍ତି ଯେ ଦୟାଲଚକ ଅଞ୍ଚଳରେ କେହି ଅନୁପ୍ରବେଶ କରିନାହାନ୍ତି। ଏହି ଅଞ୍ଚଳର ପ୍ରାୟ ୧୯୮ କିଲୋମିଟର ବ୍ୟାପୀ ଭାରତ-ପାକ୍ ସୀମାକୁ ବିଏସଏଫ୍ ଜଗୁଛି।