ନିର୍ଭୟା ମା’ଙ୍କ କ୍ଷୋଭ ପ୍ରକାଶ : ଚାରି ଆସାମୀଙ୍କୁ ମୃତ୍ୟୁଦଣ୍ଡ ମିଳିବନି

ନୂଆଦିଲ୍ଲୀ,ଏଜେନ୍ସି : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଆସାମୀଙ୍କ ମୃତ୍ୟୁ ପରୱାନା ଉପରେ ଅସ୍ଥାୟୀ ରହିତାଦେଶ ମିଳିବା ପରେ ପୀଡ଼ିତାଙ୍କ ମା’ ଆଶା ଦେବୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆସାମୀଙ୍କ ଓକିଲ ଏପି ସିଂହ ତାଙ୍କୁ ଚାଲେଞ୍ଜ କରି କହିଛନ୍ତି ଯେ ଆସାମୀଙ୍କୁ ଆଉ ଫାଶୀଦଣ୍ଡ ମିଳିବାର ନାହିଁ। ଓକିଲଙ୍କ ଯୁକ୍ତିକୁ ମିଛ ସାବ୍ୟସ୍ତ କରିବା ପାଇଁ ଆଶା ଦେବୀ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ କହିଛନ୍ତି। ସରକାର ତୁରନ୍ତ ଆସାମୀଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରନ୍ତୁ କହି ନିର୍ଭୟାଙ୍କ ମା’ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି ପକାଇଛନ୍ତି। ଫେବୃଆରୀ ପହିଲାରେ ଆସାମୀଙ୍କୁ ଫାଶୀ ଦିଆଯିବ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା। ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ କୋର୍ଟ ଆସାମୀଙ୍କ ମୃତ୍ୟୁ ପରୱାନା ଉପରେ ଅସ୍ଥାୟୀ ରହିତାଦେଶ ପ୍ରଦାନ କରିବା ଫଳରେ ତାଙ୍କ ମନରୁ ସବୁ ଦମ୍ଭ ଚାଲିଯାଇଥିଲା।