ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜମ୍ମୁ-କଶ୍ମୀର,ଏଜେନ୍ସି: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଠାରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳିବିନିମୟ ଜାରି ରହିଛି। ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।

ଏହି ସମୟରେ ଏକ କୋଠାରେ ୨ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଯବାନମାନେ ସେମାନଙ୍କୁ ଘେରି ଯିବାରୁ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ। ବୁଧବାର ଭୋର ସମୟରେ ଯବାନଙ୍କ ଗୁଳିରେ  ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହାପରେ ସେଠାରେ ଲୁଚି ରହିଥିବା ଆଉ କିଛି ଆତଙ୍କୀଙ୍କ ସହିତ ଗୁଳିବିନିମୟ ଚାଲିଥିଲା। ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ଆଉ ଦୁଇ ଆତଙ୍କୀ ନିହତ ହୋଇଥିଲେ। ତେବେ ଏନକାଉଣ୍ଟର ସମୟରେ ସ୍ଥାନୀୟ କିଛି ଯୁବକ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା।