ଆଇଏସ୍ଏଲ୍-୬, ଦୁର୍ବ୍ୟବହାର ପାଇଁ ତିନି ଖେଳାଳି ବାସନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଗତ ନଭେମ୍ବର ୧ ତାରିଖରେ ଗୌହାଟୀଠାରେ ଚଳିତ ଆଇଏସ୍ଏଲ୍ ଷଷ୍ଠ ସଂସ୍କରଣର ଏକ ମ୍ୟାଚ୍ ଏଫ୍ସି ଗେଆ ଓ ନର୍ଥଇଷ୍ଟ୍ ୟୁନାଇଟେଡ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଦୁର୍ବ୍ୟବହାର ଅଭିଯୋଗରେ ତିନି ଜଣ ଖେଳାଳିଙ୍କୁ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ବାସନ୍ଦ କରାଯାଇଛି। ଏହି ଖେଳାଳିମାନେ ହେଲେ ଏଫ୍ସି ଗୋଆର ସିମିନିନ୍ ଡୁଙ୍ଗେଲ୍ ଓ ହ୍ୟୁଗୋ ବୋଉମୋସ୍ ଏବଂ ନର୍ଥଇଷ୍ଟ୍ର ଡିଫେଣ୍ଡର୍ କାଇ ହିରିଙ୍ଗ୍ସ। ଡୁଙ୍ଗେଲ୍ଙ୍କୁ ୩ଟି ମ୍ୟାଚ୍ରୁ ବାସନ୍ଦ କରାଯାଇଥିବା ବେଳେ ଇତିମଧ୍ୟରେ ସେ ଗୋଟିଏ ମ୍ୟାଚ୍ର ବାସନ୍ଦାଦେଶ କାଟିସାରିଲେଣି। ସେ ଆଗାମୀ ଜାମସେଦପୁର ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ୍ ଖେଳିପାରିବେ ନାହିଁ। ସେହିପରି ହ୍ୟୁଗୋ ୨ଟି ମ୍ୟାଚ୍ରୁ ବାସନ୍ଦ ହୋଇଥିବା ବେଳେ କାଇଙ୍କୁ ମଧ୍ୟ ୨ଟି ମ୍ୟାଚ୍ରୁ ବଞ୍ଚିତ ହେବାକୁ ପଡ଼ିବ। ଆସନ୍ତା ଡିସେମ୍ବର ୮ରେ ହେବାକୁ ଥିବା ଏଫ୍ସି ଗୋଆର ହାଇଦ୍ରାବାଦ ଏଫ୍ସି ବିପକ୍ଷ ମ୍ୟାଚ୍ରେ ହ୍ୟୁଗୋ ଓ ଡୁଙ୍ଗେଲ୍ ଖେଳିପାରିବେ। ଅନ୍ୟପକ୍ଷରେ ଡଚ୍ ଡିଫେଣ୍ଡର୍ କାଇଙ୍କୁ ମୁମ୍ବାଇ ସିଟି ଏଫ୍ସି ଓ ଜାମସେଦପୁର ଏଫ୍ସି ବିପକ୍ଷ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବାକୁ ପଡ଼ିବ।