୨୨ରେ ଭାରତ-ଇଣ୍ଡିଜ୍ ଦିନିକିଆ: ଓସିଏକୁ ୧୦ କୋଟି ଟଙ୍କାର ଅନ୍ତରୀଣ ଅନୁଦାନ

ଓସିଏର ପ୍ରସ୍ତୁତି ବୈଠକ: ସାଢ଼େ ୬ କୋଟିର ବଜେଟ୍

କଟକ,୨୪ା୧୧/ଏନ୍ଏନ୍ଏସ୍: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଗାମୀ ଡିସେମ୍ବର ୨୨ ତାରିଖରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା, ଟିକେଟ ବିକ୍ରୟ କାଉଣ୍ଟର ଏବଂ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଶନିବାର କଟକ ଡିସିପି ଅଖିଳେଶ୍ୱର ସିଂ ଆୟୋଜକ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବାବେଳେ ରବିବାର ଓସିଏର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମ୍ୟାଚ୍ର ଆୟୋଜନ ସମ୍ପର୍କରେ ଆଲୋଚନା ହେବା ସହ ଓସିଏର ଆର୍ଥିକ ମାମଲାଗୁଡ଼ିକ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଏବଂ ଏହି ମ୍ୟାଚ୍ ପାଇଁ ସମୁଦାୟ ସାଢ଼େ ୬ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡ଼ିଛି।
ଖର୍ଚ୍ଚ ହେବାକୁ ଥିବା ସାଢ଼େ ୬ କୋଟି ମଧ୍ୟରେ ୧୦ ଲକ୍ଷ ଟଙ୍କାର ସିସି କ୍ୟାମେରା ଲଗାଯିବା ସହ ଦର୍ଶକଙ୍କ ପାଇଁ ୧୪ ଲକ୍ଷ ଟଙ୍କାର ବୀମା ବାବଦ ପ୍ରିମିୟମ୍ ପଇଠ କରାଯିବ। ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମ୍କୁ ମୋଟ ୨୧ କୋଟି ୭୧ ଲକ୍ଷ ୭୦ ହଜାର ଟଙ୍କାର ବୀମାଭୁକ୍ତ କରାଯାଇଛି। ସେହିଭଳି ଗତ ଫୋନି ବାତ୍ୟାରେ ଫ୍ଲଡ୍ଲାଇଟ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିବାବେଳେ ଏହାର ମରାମତି ପାଇଁ ୧ କୋଟି ୫୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବଜେଟ୍ରେ ଦର୍ଶାଯାଇଛି। ପୁନଶ୍ଚ ମ୍ୟାଚ ସମୟରେ ସୁରକ୍ଷା ନିମନ୍ତେ ପୁଲିସ୍ ଓ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ପିଛା ୬୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଦର୍ଶକଙ୍କ ପାଇଁ ଗ୍ୟାଲେରୀରେ ପାନୀୟ ଜଳ ଯୋଗାଇବା ନିମନ୍ତେ ୫ ଲକ୍ଷ ଟଙ୍କାର ବଜେଟ୍ ରହିଛି।

ଏହିଭଳି ମୋଟ ୬ କୋଟି ୪୨ ଲକ୍ଷ ୬୯ ହଜାର ୫୭୦ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଅନ୍ୟପକ୍ଷରେ ମ୍ୟାଚରୁ ଆୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଟିକେଟ ବିକ୍ରିରୁ ୨ କୋଟି ୮୫ ଲକ୍ଷ ୮୭ ହଜାର ୨୭୦ ଟଙ୍କା, ଟିକେଟ ବିଜ୍ଞାପନରୁ ୧୫ ଲକ୍ଷ ଟଙ୍କା, ଷ୍ଟାଡିୟମ ବିଜ୍ଞାପନରୁ ୨ କୋଟି ୧୩ ଲକ୍ଷ ଟଙ୍କା, ଅନ୍ତର୍ଜାତୀୟ ଦିନିକିଆ ସବ୍ସିଡିରୁ ୧.୫ କୋଟି ଏବଂ ଡିଜିଟାଲ ସ୍କ୍ରିନ୍ରୁ ୨.୫ ଲକ୍ଷ ଟଙ୍କା ଆୟ ହେବ ବୋଲି ଜଣାପଡ଼ିଛି। ତେବେ ମୋଟ ୬ କୋଟି ୬୬ ଲକ୍ଷ ୩୭ ହଜାର ୨୭୦ ଟଙ୍କାର ଆୟ ହେବ ବୋଲି ଓସିଏ ପକ୍ଷରୁ ଆକଳନ କରାଯାଇଛି। ବଳକା ୨୩ ଲକ୍ଷ ୬୭ ହଜାର ୭୦୦ ଟଙ୍କାକୁ ଓସିଏ ଭିତ୍ତିଭୂମିର ବିକାଶ ଦିଗରେ ବ୍ୟୟ କରାଯିବ ବୋଲି କୁହାଯାଇଛି। ଓସିଏ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସାଧାରଣ ବୈଠକ ଡକାଯାଇ ଏହି ଅସ୍ଥାୟୀ ବଜେଟକୁ ଅନୁମୋଦନ ଦିଆଯାଇଛି। ଅନ୍ୟପକ୍ଷରେ ଏହି ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡିୟମର ମରାମତି ପାଇଁ ବିସିସିଆଇ ଓସିଏକୁ ୧୦ କୋଟି ଟଙ୍କାର ଅନ୍ତରୀଣ ଅନୁଦାନ ପ୍ରଦାନ କରିଛି। ଏହି ଟଙ୍କାରେ ଷ୍ଟାଡିୟମ ମରାମତି ହେବା ସହ ଦିନିକିଆ ମ୍ୟାଚ ଆୟୋଜନ ହୋଇପାରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

ବାରବାଟୀ ଦିନିକିଆ ମ୍ୟାଚ୍ ସଂକ୍ରାନ୍ତରେ ଆଲୋଚନା ହେବା ସହ ଓସିଏର ଆର୍ଥିକ ମାମଲାଗୁଡ଼ିକର ବିଚାର ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଆର୍ଥିକ ବର୍ଷର ବାର୍ଷିକ ଅଡିଟ୍ ରିପୋର୍ଟକୁ ଏହି ବୈଠକରେ ଅନୁମୋଦନ ଦିଆଯାଇଥିଲା। ତେବେ ବୈଠକରେ ଅଡିଟ୍ ରିପୋର୍ଟକୁ ଉପସ୍ଥାପନ କରାଯାଇ ନ ଥିବାରୁ କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସାଧାରଣ ବୈଠକରେ ସବିଶେଷ ବିବରଣୀ ସଦସ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି ଓସିଏ କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ସମ୍ପାଦକ ଶ୍ରୀ ବେହେରାଙ୍କ ବ୍ୟତୀତ ସଭାପତି ପଙ୍କଜଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାନ୍ ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଉପସ୍ଥିତ ଥିଲେ।