ଯାଜପୁର ଜିଲ୍ଲାରୁ ୩ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଜପୁର ସିଲ୍

ଯାଜପୁର,ଏନ୍ଏନ୍ଏସ୍: ଗତ ଦିନରେ ଲକଡାଉନ ସମୟରେ ଦିଲ୍ଲୀରେ ନିଜାମୁଦ୍ଦିନ ତବଲିଗି ଜମାତାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ସେଥିରେ ପାଖାପାଖି ୯ହଜାରରୁ ଊଦ୍ଧ୍ୱର୍ ଲୋକେ ବିଭିନ୍ନ ଦେଶ, ରାଜ୍ୟ ଓ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସେଥିରୁ ଅନେକ ଲୋକ ଫେରାର ହୋଇଯାଇଥିଲେ। ଫଳରେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ୩ ଜଣ ନିଜାମୁଦ୍ଦିନ ଫେରାନ୍ତା ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଗତକାଲି ବିଞ୍ଝାରପୁର ଅଞ୍ଚଳରୁ ଜଣଙ୍କୁ ଚିହ୍ନଟ ହୋଇଥିବା ବେଳେ ଆଜି ଅନ୍ୟ ୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ରସୁଲପୁର ଓ ଅନ୍ୟଜଣେ ଧର୍ମଶାଳା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କୁ ଆଜି ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଅନ୍ୟପଟେ ଏହି ଭୂତାଣୁ ବର୍ତ୍ତମାନ ଚାରିଆଡେ ବ୍ୟାପିବାର ଆଶଙ୍କା କରି ଯାଜପୁର ଜିଲ୍ଲାର ସମସ୍ତ ସୀମାକୁ ବନ୍ଦ କରିଦିଆଯାଇଛି। ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।